ଆଇଆଇସିଙ୍କ ନାଁରେ ଏତଲା, କାହିଁକି ଜାଣନ୍ତୁ

ବାଲିଗୁଡ଼ା : କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ଥାନାର ମହିଳା ସବ୍ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ମାମଲାରେ ଆଇଆଇସି ରେବତୀ ଶବରଙ୍କ ନାଁରେ ଦିଆଯାଇଛି ଏତଲା। ସ୍ୱାଗତିକାଙ୍କ ପରିବାର ଲୋକେ ଜି ଉଦୟଗିରି ଏସ୍ଡିପିଓଙ୍କୁ ଏହି ଏତଲା ଦେଇଛନ୍ତି।
ଗତକାଲି ରାତିରେ ସ୍ୱାଗତିକାଙ୍କ ମା’ ଓ ଭାଇ ଜି. ଉଦୟଗିରି ଏସ୍ଡିପିଓଙ୍କୁ ଭେଟି ଥିଲେ। ଆଇଆଇସି ରେବତୀ ଶବର ସେମାନଙ୍କ ଝିଅକୁ ମାନସିକ ନିର୍ୟାତନା ଦେଇ ଆସୁଥିଲେ ବୋଲି ସେମାନେ ଅଭିଯୋଗ କରିବା ସହିତ ଏତଲା ଦେଇଥିଲେ। ସ୍ୱାଗତିକାଙ୍କ ପରିବାର ଲୋକେ କହିଛନ୍ତି ଯେ ଆଇଆଇସି ତାଙ୍କୁ ମାରି ଝୁଲାଇ ଦେଇଛନ୍ତି ନହେଲେ ତାଙ୍କ ନିର୍ୟାତନା ସହି ନପାରି ସେ ଆତ୍ମହତ୍ୟା କରିଛନ୍ତି।
ପରିବାର ଲୋକେ ଦେଇଥିବା ଏତଲାରେ ଦର୍ଶାଇଛନ୍ତି ଯେ ସ୍ୱାଗତିକା ୨୦୧୯ରୁ ଜି. ଉଦୟଗିରି ଥାନାରେ ଏସ୍ଆଇ ଭାବେ କାର୍ୟ୍ୟରତ ଥିଲେ। ସେ ଏଠାରେ କାର୍ୟ୍ୟରେ ଯୋଗ ଦେବା ଦିନ ଠାରୁ ମାନସିକ ନିର୍ୟାତନା ପାଉଥିଲେ। ଆଇଆଇସି ରେବତୀ ଶବର ସବୁବେଳେ ତାଙ୍କୁ ଅଭଦ୍ର ଭାଷାରେ ଗାଳିଗୁଲଜ କରୁଥିଲେ। ସ୍ୱାଗତିକା ଯେତେବେଳେ ବି ଘରକୁ ଫୋନ୍ କରୁଥିଲେ ସବୁବେଳେ ଆଇଆଇସିଙ୍କ ଅତ୍ୟାଚାର କଥା କହୁଥିଲେ। ଆଇଆଇସିଙ୍କ ନିର୍ୟାତନା ସହି ହେଉ ନଥିବାରୁ ସେ ଚାକିରି ଛାଡ଼ି ଦେବେ ବୋଲି ମଧ୍ୟ କହୁଥିଲେ।ଘଟଣାର ତଦନ୍ତ କରି ଆଇଆଇସି ରେବତୀ ଶବରଙ୍କ ବିରୋଧରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସ୍ୱାଗତିକାଙ୍କ ପରିବାର ଲୋକେ ଦାବି କରିଛନ୍ତି। ଅନ୍ୟପକ୍ଷରେ ଏହି ଘଟଣା ସଂପର୍କରେ ଆଇଆଇସି ରେବତୀ ଶବରଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।
Powered by Froala Editor