ଭୟଙ୍କର ରୂପ ଧାରଣ କରିଛି ସୁବର୍ଣ୍ଣରେଖା, ରାଜଘାଟରେ ୧୧.୯୦ ମିଟର ବନ୍ୟା ଜଳ ପ୍ରବାହିତ
ଭୁବନେଶ୍ୱର: ଝାଡଖଣ୍ଡ ଗାଲୁଡିହ ଡ୍ୟାମରୁ ପାଣି ଆସିବା ପରେ ସୁବର୍ଣ୍ଣରେଖା ନଦୀ ଫୁଲିବାରେ ଲାଗିଛି । ଭୟଙ୍କର ରୂପ ଧାରଣ କରିଛି ସୁବର୍ଣ୍ଣରେଖା । ଝାଡଖଣ୍ଡ ଗାଲୁଡିହି ବ୍ୟାରେଜର ୧୮ଟି ଗେଟ୍ ଯୋଗେ ବନ୍ୟା ଜଳ ନିଷ୍କାସିତ ହେଉଥିବାରୁ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାରେ ବଡ଼ ଧରଣର ବନ୍ୟା ଆଶଙ୍କା ଦେଖାଦେଇଛି । ଏସଆରସିଙ୍କ ସୂଚନା ଅନୁଯାୟୀ ରାଜଘାଟରେ ୧୧.୯୦ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି ।
୧୨ ମିଟର ଡେଇଁଲେ ଅଧିକ ବିପଦ ରହିଛି । ଫଳରେ ବାଲେଶ୍ୱର ଜିଲ୍ଲାର ବାଳିଆପାଳ ଓ ଭୋଗରାଇର ତଳିଆ ଅଞ୍ଚଳରେ ପାଣି ପଶିବା ଭୟ ରହିଛି । ବାଲିଆପାଳର ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇଛି । ଗତକାଲି ସଂଧ୍ୟା ୬ଟା ସୁଦ୍ଧା ବାଲେଶ୍ୱର ଜିଲ୍ଲାର ୪ଟି ବ୍ଲକରୁ ୫ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ବନ୍ୟା ପ୍ରବଣ ୩୩୬ଟି ଗାଁର ପାଖାପାଖି ଦେଢ ଲକ୍ଷ ଲୋକଙ୍କୁ ସ୍ଥାନାନ୍ତର କରାଯିବ । ତଳିଆ ଅଞ୍ଚଳର ଲୋକଙ୍କୁ ଆଣି ବାତ୍ୟା ଆଶ୍ରୟସ୍ଥଳୀରେ ରଖିଛି ଜିଲ୍ଲା ପ୍ରଶାସନ । ନଦୀବନ୍ଧର ଦୁର୍ବଳ ସ୍ଥାନଗୁଡିକ ଉପରେ ନଜର ରଖିଛନ୍ତି ସ୍ୱତନ୍ତ୍ର ଟିମ୍ ।
ବନ୍ୟା ମୁକାବିଲା ପାଇଁ ୫ଜଣ ବରିଷ୍ଠ ଓଏଏସ୍ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ନିୟୋଜିତ କରାଯାଇଛି । ଏମାନେ ବନ୍ୟା ମୁକାବିଲା, ଉଦ୍ଧାର କାର୍ୟ୍ୟ ଓ ରିଲିଫ୍ କାମରେ ତହସିଲଦାର, ବିଡିଓ ଏବଂ ଅନ୍ୟ ଅଧିକାରୀଙ୍କୁ ସହଯୋଗ କରିବେ ।
Powered by Froala Editor