ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା: ପ୍ରଦୀପ ଜେନା
ଭୁବନେଶ୍ୱର: ପ୍ରବଳ ବର୍ଷା ଯୋଗୁ ଝାଡ଼ଖଣ୍ଡର ଗାଲୁଡ଼ିହି ବ୍ୟାରେଜର ୧୬ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ବେଳେ ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି। ଟ୍ୱିଟ୍ କରି ସ୍ୱତନ୍ତ୍ର ରିଲିଫ୍ କମିଶନର (ଏସ୍ଆର୍ସି) ପ୍ରଦୀପ ଜେନା ଏହି ସୂଚନା ଦେଇଥିବା ବେଳେ ବାଲେଶ୍ୱର ଓ ମୟୂରଭଞ୍ଜ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି।
ଉତ୍ତର ଓଡ଼ିଶାରେ ବନ୍ୟା ଆଶଙ୍କା: ସବୁ ନଦୀର ଜଳସ୍ତର ବଢ଼ୁଛି
ମିଳିଥିବା ସୂଚନା ଅନୁଯାୟୀ, ବାଲେଶ୍ୱର ଜିଲ୍ଲା ଜଳେଶ୍ୱରର ରାଜଘାଟରେ ସୁବର୍ଣ୍ଣରେଖା ନଦୀର ବିପଦ ସଙ୍କେତ ୧୦.୩୬ ମିଟର ଥିବା ବେଳେ ଆଜି ସକାଳ ୮ଟା ସୁଦ୍ଧା ୮.୪୩ ମିଟରରେ ଜଳ ପ୍ରବାହିତ ହେଉଛି। ଧୀରେ ଧୀର ଜଳସ୍ତର ବଢୁଛି। ଶନିବାର ସନ୍ଧ୍ୟା ୮ଟାରେ ଗାଲୁଡ଼ିହି ବ୍ୟାରେଜରେ ୧୬ଟି ଗେଟ୍ ଖୋଲା ଯାଇଥିବା ବେଳେ ସେକେଣ୍ଡକୁ ୪ ଲକ୍ଷ ୨୫ ହଜାର କ୍ୟୁସେକ ଜଳ ପ୍ରବାହିତ ହେଉଥିବା ବେଳେ ଜଳେଶ୍ୱରର ରାଜଘାଟ ଠାରେ ଏହା ଆଜି ଅପରାହ୍ଣ ୩ଟାରୁ ୪ଟା ମଧ୍ୟରେ ପହଞ୍ଚିବ ଏବଂ ବିପଦ ସଂକେତ ଟପିଯିବ। ୨୦୦୮ରେ ସୁବର୍ଣ୍ଣରେଖା ନଦୀରେ ସବୁଠୁ ବଡ଼ ବନ୍ୟା ଆସିଥିବା କୁହାଯାଉଥିବା ବେଳେ ସେତେବେଳେ ସେକେଣ୍ଡକୁ ୩ ଲକ୍ଷ ୭୫ ହଜାର କ୍ୟୁସେକ ଜଳ ପ୍ରବାହିତ ହୋଇଥିଲା ଓ ଜଳେଶ୍ୱରରେ ମଧ୍ୟ ପାଣି ପଶିଥିଲା। ତେଣୁ ଏଥର ସୁବର୍ଣ୍ଣରେଖା ନଦୀରେ ବଡ଼ ବନ୍ୟା ଆଶଙ୍କା କରାଯାଉଛି। ବନ୍ୟା ଆସିଲେ ଜିଲ୍ଲାର ଉଭୟ ବାଲିଆପାଳ ଓ ଭୋଗରାଇ ବ୍ଲକ୍ର ୨୫ରୁ ୩୦ଟି ପଞ୍ଚାୟତ ଏଥିରେ ପ୍ରଭାବିତ ହେବାର ଆଶଙ୍କା ରହିଛି। ଜଳେଶ୍ୱର ମଧ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି।
Powered by Froala Editor