ଓଲଟି ପଡ଼ିଲା ଟ୍ରଲର: ୧୮ ମତ୍ସ୍ୟଜୀବୀ ନିଖୋଜ

କୋଲକାତା,: ବଙ୍ଗୋପସାଗରରେ ଟ୍ରଲର ଓଲଟି ପଡ଼ିବାରୁ ୧୮ଜଣ ମତ୍ସ୍ୟଜୀବୀ ନିଖୋଜ ହୋଇଯାଇଛନ୍ତି । ଟ୍ରଲରଟି କେନ୍ଦା ଦ୍ୱୀପଠାରୁ ୧୨ କିଲୋମିଟର ଦୂରରେ ଓଲଟି ପଡିଥିଲା ।
ଟ୍ରଲର ଏଫବି ସତ୍ୟନାରାୟଣ ଅଗଷ୍ଟ ୧୬ରେ କାଙ୍କଦ୍ୱୀପରୁ ବାହାରିଥିଲା । ଏଥିରେ ମୋଟ ୧୮ ଜଣ ମତ୍ସ୍ୟଜୀବୀ ଥଲେ । ଆହୁରି ଏକାଧିକ ଟ୍ରଲର ମଧ୍ୟ ମାଛ ଧରିବା ଲାଗି ସମୁଦ୍ରକୁ ଯାଇଥିଲେ । ପାଣିପାଗ ବିଭାଗ ପକ୍ଷରୁ ଲଘୁଚାପ ଯୋଗୁଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଥିଲା । ତେଣୁ ଗଭୀର ସମୁଦ୍ରରୁ ଗୋଟିଏ ପରେ ଗୋଟିଏ ଟ୍ରଲର ଫେରୁଥିଲେ । ପ୍ରାୟ ସମସ୍ତେ କେନ୍ଦା ଦ୍ୱୀପରେ ଆଶ୍ରୟ ନେଉଥିଲେ । ହେଲେ ଏଫବି ସତ୍ୟନାରାୟଣ ଟ୍ରଲର ଶୁକ୍ରବାର ସକାଳେ ଫେରୁଥିଲା । କେନ୍ଦା ଦ୍ୱୀପକୁ ଯିବା ବାଟରେ ଦୁର୍ଘଟଣା ଘଟିଥିବା ଜାଣିବାକୁ ମିଳିଛି ।
ଦ୍ୱୀପଠାରୁ ୧୨ କିଲୋମିଟର ଦୂରରେ ଥିବା ଚାର ସହିତ ଧକ୍କା ହେବା ପରେ ଟ୍ରଲର ଲିକ୍ ହୋଇଥିଲା । ଟ୍ରଲରରେ ପାଣି ପ୍ରବେଶ କରିବାରୁ ଏହା ଓଲଟି ପଡିଥିଲା । ଖବର ପାଇଁ କୋଷ୍ଟଗାର୍ଡ ଟିମ ଘଟଣାସ୍ଥଳରେ ପହଞ୍ଚିଥିଲା । କାଙ୍କଦ୍ୱୀପରୁ ଅନେକ ଟ୍ରଲର ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଉଦ୍ଧାର କାର୍ୟ୍ୟ ଚାଲିଛି । ହେଲେ ଖରାପ ପାଗ ଯୋଗୁ ଉଦ୍ଧାର କାର୍ୟ୍ୟ କଷ୍ଟକର ହୋଇପଡିଛି । ତେବେ କେତେ ଜଣ ଉଦ୍ଧାର ହୋଇଛନ୍ତି । ତାହା ଜଣା ପଡ଼ିନି ।
Powered by Froala Editor