ଷ୍ଟ୍ରଙ୍ଗରୁମରୁ ୧୧ କୋଟି ଟଙ୍କାର କଏନ ଗାଏବ, ୨୫ଟି ସ୍ଥାନରେ ସିବିଆଇ ରେଡ୍
ରାଜସ୍ଥାନର କରୌଲିରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଶାଖାରୁ ପ୍ରାୟ ୧୧ କୋଟି ଟଙ୍କାର ଖୁଚୁରା ପଇସା (କଏନ) ଗାଏବ ହୋଇଯାଇଛି । ଏସବୁ କଏନ କୁଆଡେ ଗଲା ତାହା ସିବିଆଇ ଖୋଜୁଛି । ଷ୍ଟ୍ରଙ୍ଗରୁମରୁ ୧୧ କୋଟି ଟଙ୍କାର କଏନ ଗାଏବ ହେବା ଘଟଣାରେ ଧରପଗଡ଼ ଆରମ୍ଭ କରିଛି ସିବିଆଇ। ଆଜି ସିବିଆଇ ଏହି ଘଟଣାରେ ୨୫ଟି ସ୍ଥାନରେ ଏକକାଳୀନ ରେଡ୍ କରିଛି। ୧୫ ଜଣ ପୂର୍ବତନ ବ୍ୟାଙ୍କ କର୍ମଚାରୀଙ୍କ ଘରେ ଏସବୁ ଚଢଉ କରାଯାଇଛି ।
ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ଏପ୍ରିଲ ୧୩ରେ ସିବିଆଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି । ଏହିକ୍ରମରେ ଆଜି ସିବିଆଇର ଟିମ୍ ଦିଲ୍ଲୀ, ଜୟପୁର, ଦଉସା, କରୌଲି, ସୱାଇ ମାଧୋପୁର, ଅଲୱାର, ଉଦୟପୁର ଓ ଭିଲୱାରାର ୨୫ଟି ସ୍ଥାନରେ ରେଡ୍ କରିଥିଲେ। ୧୫ ଜଣ ପୂର୍ବତନ ବ୍ୟାଙ୍କ କର୍ମଚାରୀ ଓ ବ୍ୟାଙ୍କ ସହ ଜଡ଼ିତ ଲୋକଙ୍କ ଠିକଣାରେ ଏହି ରେଡ୍ କରାଯାଇଛି। ଏହି ସମୟରେ ଘଟଣା ସହ ଲିଙ୍କ ରହିଥିବା ଏକାଧିକ ଦସ୍ତାବିଜ ଜବତ କରାଯାଇଥିବା ଜଣାପଡ଼ିଛି।
କଏନ ଗାଏବ ହେବା ପରେ ଏସ୍ବିଆଇ ପକ୍ଷରୁ ସିବିଆଇ ତଦନ୍ତ ଦାବି କରି ରାଜସ୍ଥାନ ହାଇକୋର୍ଟରେ ଆବେଦନ କରାଯାଇଥିଲା। ଗାଏବ କଏନର ମୂଲ୍ୟ ୩ କୋଟିରୁ ଅଧିକ ହୋଇଥିବାରୁ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ନିୟମ ଅନୁସାରେ ତଦନ୍ତ କରିବା କଥା। ଏହାକୁ ଆଧାର କରି ଏସ୍ବିଆଇ ହାଇକୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲା। ପରେ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ସିବିଆଇ ପାଖକୁ ଆସିଥିଲା ।
Powered by Froala Editor