ପାଇକା ନଦୀବନ୍ଧରେ ବିରାଟ ଘଳିଆ, ଆତଙ୍କିତ ଲୋକେ
ଭୁବନେଶ୍ୱର: ଲଗାଣ ବର୍ଷା ଯୋଗୁଁ ଚାରିଆଡେ ବନ୍ୟା ସ୍ଥିତି ସୃଷ୍ଟି ହୋଇଛି । ସୋମବାର ମଧ୍ୟାହ୍ନରୁ କେନ୍ଦ୍ରାପଡ଼ା ଜିଲ୍ଲା ମଧ୍ୟଦେଇ ପ୍ରବାହିତ ମହାନଦୀ ଓ ଏହାର ଶାଖା ନଦୀଗୁଡିକରେ ବନ୍ୟା ପାଣି ଆସୁଛି । ତେବେ ମହାନଦୀର ଉପନଦୀ ପାଇକା ନଦୀର ଦୁର୍ବଳ ନଦୀବନ୍ଧ କାରଣରୁ ଜିଲ୍ଲାର ବଡ଼ ନଇନ୍ଦିପୁରଠାରେ ଏକ ବିରାଟ ଘଳିଆ ସୃଷ୍ଟି ହୋଇଛି । ଏହି ଘଳିଆ ଦେଇ ପାଣି ଗାଁ ଭିତରକୁ ପଶିବାରେ ଲାଗିଛି । ଏହାକୁ ନେଇ ବଡ ଦୁର୍ଘଟଣା ବା ବନ୍ୟା ଆଶଙ୍କା ସୃଷ୍ଟି ହେବାରୁ ଜଳସେଚନ ବିଭାଗ ପକ୍ଷରୁ ବାଲି ବସ୍ତା ପକାଯାଇ ଘଳିଆକୁ ବନ୍ଦ କରିବା ପାଇଁ ପ୍ରୟାସ କରାଯାଉଛି । ଟ୍ରାକ୍ଟର ଯୋଗେ ଶହ ଶହ ବାଲି ବସ୍ତା ନଇନ୍ଦିପୁର ଘାଇ ନିକଟରେ ପଡିଛି । ଅନ୍ୟପଟେ ଏହି ଘଳିଆ ପଡିବା ଯୋଗୁଁ ସ୍ଥାନୀୟ ଗାଁଗୁଡିକରେ ଭୟର ବାତାବରଣ ସୃଷ୍ଟି ହୋଇଛି ।
ଅନ୍ୟପକ୍ଷରେ ପ୍ରଶାସନର ନିଦ ହଜାଇଲାଣି ହୀରାକୁଦ ଜଳଭଣ୍ଡାରର ଜଳସ୍ତର। ଲଘୁଚାପଜନିତ ଲଗାଣ ବର୍ଷା ହେତୁ ହୀରାକୁଦର ଜଳସ୍ତର ବଢ଼ି ଚାଲିଥିବା ବେଳେ ମହାନଦୀ ବି ଫୁଲୁଛି। ମହାନଦୀରେ ବନ୍ୟା ଆସିବା ଫଳରେ କଟକ ବାଙ୍କୀ ଅଞ୍ଚଳ ପ୍ରଭାବିତ ହୋଇଛି । ଏହାବାଦ କୁଜଙ୍ଗ ଜୟଶଙ୍ଖପୁରଠାରେ ମହାନଦୀରେ ୭୦ ଫୁଟର ଘାଇ ସୃଷ୍ଟି ହୋଇଛି।
ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୨୫ ଫୁଟ୍ ଟପିଛି । ଜଳସ୍ତର ସକାଳେ ୬୨୫.୦୪ ଫୁଟ୍ ରହିଛି। ହୀରାକୁଦ ଡ୍ୟାମ୍ ଭିତରକୁ ପ୍ରତି ସେକେଣ୍ଡରେ ୭ ଲକ୍ଷ ୮୫ ହଜାର ୨୯୧ କ୍ୟୁସେକ୍ ଜଳ ପ୍ରବେଶ କରୁଥିବା ବେଳେ ନିଷ୍କାସିତ ହେଉଛି ୪ ଲକ୍ଷ ୩୪ ହଜାର ୮ କ୍ୟୁସେକ୍ ଜଳ । ଗତକାଲି ହୀରାକୁଦର ୩୪ ଗେଟ୍ ଖୋଲାଥିବା ବେଳେ ତଳ ମୁଣ୍ଡରେ ବନ୍ୟା ନିୟନ୍ତ୍ରଣ ପାଇଁ ୮ଟି ଗେଟ୍ ବନ୍ଦ କରାଯାଇଥିଲା। ତେଣୁ ବର୍ତ୍ତମାନ ୨୬ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯାଉଛି।
Powered by Froala Editor