ବିଦ୍ୟୁତ୍ ସଂସ୍ପର୍ଶରେ ଦମ୍ପତି ମୃତ, ଅନାଥ ହୋଇଗଲା ୫ ବର୍ଷର ଝିଅ

କେନ୍ଦୁଝର ଜିଲ୍ଲା ଯୋଡା ଥାନା ଅନ୍ତର୍ଗତ ଅଂଶେଇକଳା ପଞ୍ଚାୟତ ଜାମୁକୁଣ୍ଡିଆ ଗ୍ରାମରେ ଏକ ଦମ୍ପତି ବିଦ୍ୟୁତ ସଂସ୍ପର୍ଶରେ ଆସି ମୃତ୍ୟୁବରଣ କରିଥିବା ଘଟଣା ସମଗ୍ର ଅଞ୍ଚଳରେ ଶୋକର ବାତାବରଣ ସୃଷ୍ଟି କରିଛି ।
ଖବରରୁ ଜଣାପଡିଛି ଯେ, ମଙ୍ଗଳବାର ରାତି ପ୍ରାୟ ୮ଟା ସମୟରେ ମାନ୍ଦୁରୁ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ରାଇମଣି ମୁଣ୍ଡା ସେମାନଙ୍କର ୫ ବର୍ଷର ଝିଅ ଆରନି ନିକଟସ୍ଥ ଜାମୁକୁଣ୍ଡିଆ ହାଟକୁ ଘର ସଉଦା କରିବାକୁ ଯାଇଥିଲେ । ସେଠାରୁ ସଉଦା କିଣି ରାତିରେ ଘରକୁ ଫେରିଥିଲେ । ତେବେ ଭିତରକୁ ଯିବା ପାଇଁ ଘରେ ଲାଗିଥିବା ଲୁହା କବାଟ ଫିଟାଇ କ୍ଷଣି ତାଙ୍କୁ ଖୁବ୍ ଜୋରରେ ବିଦ୍ୟୁତ୍ ଆଘାତ ଲାଗିଥିଲା । ଫଳରେ ଉଭୟ ସ୍ୱାମୀ, ସ୍ତ୍ରୀ ଘଟଣା ସ୍ଥଳରେ ହିଁ ଟଳିପଡିଥିଲେ । ତେବେ ୫ ବର୍ଷର ଝିଅକୁ ବିଦ୍ୟୁତ୍ ଆଘାତ ଲାଗିଥିଲେ ମଧ୍ୟ ସେ ମୃତ୍ୟୁ ମୁଖରୁ ଅଳ୍ପକେ ବର୍ତ୍ତିଯାଇଥିଲେ । ଝିଅଟିର ଗୋଡରେ ବିଦ୍ୟୁତ୍ ଆଘାତ ଲାଗିଥିବା ବେଳେ ସେ ସାମାନ୍ୟ ଆହତ ହୋଇଛି ।
ଘରେ ଲାଗିଥିବା ଲୁହା କବାଟ ଉପରେ ଦେଇ ବିଦ୍ୟୁତ୍ ତାର ଘର ଭିତରକୁ ନିଆଯାଇଥିବା ବେଳେ କୌଣସି ସ୍ଥାନରେ କଟି ଏହା କବାଟ ସହିତ ସଂଯୋଗ ହୋଇଯାଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ମୃତ ଦେହ ୨ଟିକୁ ଜବତ କରିବା ସହ ଅନାଥ ଶିଶୁକୁ ଉଦ୍ଧାର କରିଛନ୍ତି ।
Powered by Froala Editor