ନିର୍ଦ୍ଧାରିତ ଫି' ଠାରୁ ଅଧିକ ନେଲେ ଘରୋଇ ହସ୍ପିଟାଲ୍ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ
ରାଜ୍ୟରେ କୋଭିଡ ସ୍ଥିତିର ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କିପରି କରୋନା ସଂକ୍ରମଣକୁ ରୋକାଯାଇ ପାରିବ ତାଉପରେ ଗୁରୁତ୍ବ ଦେଇଛନ୍ତି । ଭିଡିଓ କନ୍ଫରେନ୍ସିଂ ଜରିଆରେ କୋଭିଡ ପରିଚାଳନା ସଂପର୍କିତ ବୈଠକରେ ଅଧ୍ୟକ୍ଷତା କରି ରାଜ୍ୟ ପ୍ରଶାସନକୁ ୭ ସୂତ୍ରୀ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
ସଂକ୍ରମଣକୁ ମାତ୍ ଦେବାକୁ ରାଜ୍ୟ ସରକାର ଉଦ୍ୟମ ଜାରି ରଖିଛନ୍ତି । ଏଭଳିସ୍ଥିତିରେ ଜନସାଧାରଣଙ୍କ ସହଯୋଗ ଲୋଡିଛନ୍ତି ମୁଖ୍ରମନ୍ତ୍ରୀ କୋଭିଡ ନିୟମ ମାନିବା ସହ ମାସ୍କ ପିନ୍ଧିବା, ବାରମ୍ବାର ସାବୁନରେ ହାତ ଧୋଇବା, ସାମାଜିକ ଦୂରତ୍ବ ବଜାୟ ରଖିବା ସହିତ ଅନାବଶ୍ୟକ ଭାବେ ବାହାରେ ନ ବୁଲି ଘରେ ରହିବାକୁ ଜନସାଧାରଣଙ୍କୁ ନିବେଦନ କରିଛନ୍ତି । ତୃତୀୟ ଲହରକୁ ନଜରରେ ରଖି ପ୍ରସ୍ତୁତ ରହିବାକୁ କହିଛନ୍ତି ମୁଖ୍ୟମନ୍ତ୍ରୀ । କୋଭିଡ ହସ୍ପିଟଲ ଗୁଡିକରେ ଚିକିତ୍ସାରେ ଉନ୍ନତି ଆଣିବା ପାଇଁ ପଦକ୍ଷେପ ନିଆଯାଇଛି । ସେହିପରି ପୁରୀରେ ରଥଯାତ୍ରା ପୂର୍ବରୁ ସମସ୍ତ ସେବାୟତ ଓ ସେମାନଙ୍କ ପରିବାରବର୍ଗଙ୍କ ସଂପୂର୍ଣ୍ଣ ଟୀକାକରଣ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟମନ୍ତ୍ରୀ କହିଛନ୍ତି, ଜିଲ୍ଲାସ୍ତରରେ କୋଭିଡ ଚିକିତ୍ସା କେନ୍ଦ୍ର ଗୁଡିକରେ ଅଗ୍ନି ସୁରକ୍ଷା ବ୍ୟବସ୍ଥା ଏବଂ ମେଡିକାଲ ଅକ୍ସିଜେନ ସୁବିଧା ସବୁଠାରୁ ବଡ ପ୍ରାଥମିକତା । ଏହା ଉପରେ ୨୪ ଘଣ୍ଟିଆ ତଦାରଖ କରାଯିବା ଆବଶ୍ୟକତା ରହିଛି । ଅଧିକ କୋଭିଡ ସଂଖ୍ୟା ଥିବା ଅଞ୍ଚଳ ଗୁଡିକରେ testing, tracing ଓ containmentକୁ ଜୋରଦାର କରିବାକୁ କହିଛନ୍ତି ମୁଖ୍ରମନ୍ତ୍ରୀ । ସେହିପରି ଆଇସିୟୁ ଓ ଏଚଡିୟୁ ଦାୟିତ୍ବରେ ଥିବା ଡାକ୍ତରମାନଙ୍କ ଠାରୁ ସିଧାସଳଖ ଫିଡବ୍ୟାକ୍ ନେଇ ସେମାନଙ୍କ ମତାମତ ଭିତ୍ତିରେ ପଦକ୍ଷେପ ନେବାକୁ ସେ କହିଛନ୍ତି ।
ସେହିପରି ଘରୋଇ ହସ୍ପିଟାଲ ନିର୍ଦ୍ଧାରିତ ଠାରୁ ଅଧିକ ଫି’ ନେଲେ କାର୍ଯ୍ୟାନୁଷ୍ଠାନ ହେବ । କୋଭିଡ ଚିକିତ୍ସା କରୁଥିବା ଘରୋଇ ହସ୍ପିଟାଲକୁ ରାଜ୍ୟ ସରକାର ଏଭଳି ତାଗିଦ୍ କରିଛନ୍ତି । କରୋନାର ତୃତୀୟ ଲହରକୁ ଦୃଷ୍ଟିରେ ରଖି ଏବେ ଠାରୁ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପରାମର୍ଶ ଦେଇଛନ୍ତି । ସ୍ୱାଭାବିକ ଅବସ୍ଥା ଫେରାଇବା ପାଇଁ ସମସ୍ତଙ୍କ ଟିକାକରଣ ଉପରେ ଗୁରୁତ୍ୱ ଦିଆଯାଉ । ମୁଖ୍ୟମନ୍ତ୍ରୀ କୋଭିଡ ହସ୍ପିଟାଲରେ ଅକ୍ସିଜେନ ବଢ଼ାଇବା ନେଇ ଗୁରୁତ୍ୱ ଦେଇଛନ୍ତି ।
Powered by Froala Editor