ଗଙ୍ଗାନଦୀରେ ଭାସୁଛି କରୋନା ମୃତକଙ୍କ ଶବ

ପାଟନା: ବିହାର ବକ୍ସର ଜିଲ୍ଲା ଉପକୂଳ ଗଙ୍ଗାନଦୀରେ କେତେକ ଗଳିତ ଶବ ଭାସୁଥିବା ସୋମବାର ଦେଖିବାକୁ ମିଳିଛି । ଏହି ମୃତଦେହଗୁଡ଼ିକ କରୋନା ସଂକ୍ରମଣରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କର ଶବ ବୋଲି ସନେ୍ଦହ କରାଯାଇଛି । ଘଟଣା ସମ୍ପର୍କରେ ସ୍ଥାନୀୟ ଚୌକିଦାର ସୂଚନା ଦେବା ପରେ ବ୍ଲକ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି କିଛି ମୃତଦେହ ଉଦ୍ଧାର କରିଥିଲେ । ଚୌସା ବିଡିଓଙ୍କ କହିବା ଅନୁଯାୟୀ ନଦୀରୁ ୧୫ଟି ମୃତଦେହ ଉଦ୍ଧାର କରାଯାଇ ପୋତି ଦିଆଯାଇଛି । ତେବେ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ନଦୀରେ ଶହ ଶହ ମୃତଦେହ ଭାସୁଥିବାର ଦେଖାଯାଇଛି । ମୃତଦେହଗୁଡ଼ିକ ପଡେ଼ାଶୀ ଉତ୍ତରପ୍ରଦେଶରୁ ଭାସି ଆସିଥିବା କୁହାଯାଇଛି । ଉତ୍ତରପ୍ରଦେଶରେ କରୋନା ସଂକ୍ରମଣ ବ୍ୟାପକ ହୋଇଥିବା ବେଳେ ଶହ ଶହ ଲୋକ ପ୍ରାଣ ହରାଇଛନ୍ତି । ପ୍ରାଣ ହରାଉଥିବା ଲୋକଙ୍କ ମୃତଦେହକୁ ପୋଡ଼ିବା ଲାଗି କାଠ ଓ ଅନ୍ୟାନ୍ୟ ଜିନିଷର ଅଭାବ ଦେଖାଯାଉଛି । କେତେକ ଶ୍ମଶାନରେ ମୃତଦେହ ସଂସ୍କାର ଲାଗି ବହୁ ପରିମାଣର ଅର୍ଥ ଦାବି କରାଯାଉଛି । ଏପରି ସ୍ଥିତିରେ ପରିବାର ଲୋକେ ନିଜର ସମ୍ପର୍କୀୟଙ୍କ ମୃତଦେହକୁ ନଦୀରେ ଭସାଇ ଦେଉଛନ୍ତି ।
Powered by Froala Editor