ଓଡ଼ିଶା ସ୍ୱାର୍ଥକୁ ନେଇ ସଂସଦରେ ସ୍ୱର ଉଠାଇଲେ ସାଂସଦ ମାନସ ରଞ୍ଜନ ମଙ୍ଗରାଜ
ରାଜ୍ୟସଭା ସାଂସଦ ମାନସ ରଞ୍ଜନ ମଙ୍ଗରାଜ ଓଡ଼ିଶା ସ୍ୱାର୍ଥକୁ ନେଇ ସଂସଦରେ ସ୍ୱର ଉଠାଇଛନ୍ତି ।
କୋରାପୁଟ ଜିଲ୍ଲାର ଜୟପୁର ଓ କଳାହାଣ୍ଡିର ଉତକେଲା ଏୟାରପୋର୍ଟକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ସେ ସଂସଦରେ ଦାବି କରିଛନ୍ତି । ସଂସଦରେ ସ୍ୱତନ୍ତ୍ର ଆଲେଖ୍ୟ ଜରିଆରେ ଏହି ପ୍ରସଙ୍ଗ ଉଠାଇ ସେ କହିଥିଲେ, ୨୦୧୭ରେ ମାଓ ଅଧ୍ୟୁଷିତ କୋରାପୁଟ ଓ କଳାହାଣ୍ଡିରେ ଦୁଇଟି ଏୟାରପୋର୍ଟ ପାଇଁ ଯୋଜନା ହୋଇଥିଲା । ସେହି ଅନୁସାରେ ଜୟପୁର ଓ ଉତକେଲା ଏୟାରପୋର୍ଟକୁ ଉଡାନ ଯୋଜନାରେ ସାମିଲ କରାଯାଇଥିଲା । ବହୁ ଦାବି ପରେ ୨୦୨୦ରେ କାମ ଆରମ୍ଭ ହୋଇଥିଲା । ଏହି ଦୁଇଟି ଏୟାରପୋର୍ଟ ସହ ଝାରସୁଗୁଡ଼ା ବିମାନବନ୍ଦର କାମ ଆରମ୍ଭ ହୋଇଥିଲା । ମାତ୍ର ଝାରସୁଗୁଡ଼ା ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ଜୟପୁର ଓ ଉତକେଲା ଏୟାରପୋର୍ଟ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରୁନାହିଁ ।
କଳାହାଣ୍ଡି ଓ କୋରାପୁଟ ରାଜ୍ୟର ଅନ୍ୟତମ ବ୍ୟବସାୟୀକ ପେଣ୍ଠସ୍ଥଳୀ । କିନ୍ତୁ ଦୁଇଟି ଯାକ ବିମାନବନ୍ଦର କାର୍ଯ୍ୟକ୍ଷମ ହୋଇପାରୁନଥିବାରୁ ଲୋକଙ୍କ ଦୀର୍ଘ ବର୍ଷର ସ୍ୱପ୍ନ ପୂରଣ ହୋଇପାରୁନି । ଏଥିସହ ଏହି ଦୁଇ ଜିଲ୍ଲା ମାଓ ପ୍ରଭାବିତ ହୋଇଥିବାରୁ ଦୁଇ ଏୟାରପୋର୍ଟକୁ ଶୀଘ୍ର କାର୍ଯ୍ୟକ୍ଷମ କରିବାକୁ ସାଂସଦ ମାନସ ମଙ୍ଗରାଜ ଦାବି କରିଛନ୍ତି ।
Powered by Froala Editor