୬ରୁ ପୁଣିଥରେ ରାଜ୍ୟରେ ବର୍ଷା
ଭୁବନେଶ୍ୱର: ଅଗଷ୍ଟ ୬ରୁ ରାଜ୍ୟରେ ପୁଣିଥରେ ଆରମ୍ଭ ହୋଇଯିବ ବର୍ଷା । ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଯାଉଥିବା ଏକ ଲଘୁଚାପ ପ୍ରଭାବରେ ୬ରୁ ୯ତାରିଖ ପର୍ୟ୍ୟନ୍ତ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଦେଇଛି । ପାଣିପାଗ କେନ୍ଦ୍ରର ସୂଚନାନୁଯାୟୀ, ୨ ଦିନ ହେଲା ରାଜ୍ୟରେ ପାଗ ଖରାଟିଆ ରହିଛି। ମୌସୁମୀ ବିରତି ଜାରି ରହିଥିବାରୁ ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ସ୍ବାଭାବିକଠାରୁ ଅଧିକ ରହିଛି। ଅଗଷ୍ଟ ୫ ଯାଏଁ ପାଗ ଏହିଭଳି ଶୁଖିଲା ରହିବ।
ମୌସୁମୀ ନିମ୍ନ-ଚାପରେଖାର ଉତ୍ତରାୟଣ ଗତି ସହ ରାଜ୍ୟରେ ମୌସୁମୀ ଦୁର୍ବଳ ହୋଇଯାଇଛି। ଫଳରେ ରାଜ୍ୟରେ ବର୍ଷାର ପ୍ରଭାବ କମିଛି ଓ ଗତ ୨୪ ଘଣ୍ଟାରେ ଅଧିକାଂଶ ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୨ରୁ ୩ ଡିଗ୍ରି ଯାଏଁ ଅଧିକ ରେକର୍ଡ କରାଯାଇଛି। ଆସନ୍ତା ୫ ଦିନ ପର୍ୟ୍ୟନ୍ତ ଏହି ସ୍ଥିତି ଜାରି ରହିବ। ମଝିରେ ମଝିରେ ଅପରାହ୍ଣରେ ପରିଚଳନଜନିତ ବର୍ଷା ହୋଇପାରେ।
ବିଭିନ୍ନ ମଡେଲରୁ ଜଣାପଡ଼ୁଛି, ଅଗଷ୍ଟ ୬ରେ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଏହା ପ୍ରଭାବରେ ରାଜ୍ୟରେ ୬ରୁ ୯ ତାରିଖ ପର୍ୟ୍ୟନ୍ତ ଭଲ ବର୍ଷା ହେବ।
Powered by Froala Editor