ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିବ ଗୃହ କମିଟି

ଭୁବନେଶ୍ୱର: ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଓଡ଼ିଶାର ଆଦିବାସୀ ମହିଳା ଦ୍ରୌପଦୀ ମୁର୍ମୁ ଦାୟିତ୍ୱ ଗ୍ରହଣ କରିବା ପରେ ରାଜ୍ୟ ବିଧାନସଭା ପକ୍ଷରୁ ତାଙ୍କୁ ଅଭିନନ୍ଦନ ଜଣାଇବା ନିମନ୍ତେ ଏକ ସର୍ବସମ୍ମତ ସଂକଳ୍ପ ପାରିତ ହୋଇଛି । ଏହାସହିତ ବାଚସ୍ପତିଙ୍କ ନେତୃତ୍ୱରେ ଗୃହ କମିଟି ନୂଆଦିଲ୍ଲୀ ଯାଇ ମହାମହିମ ରାଷ୍ଟ୍ରପତିଙ୍କୁ ସମ୍ବର୍ଦ୍ଧିତ କରିବାର ସମ୍ଭାବନା ରହିଛି ।
ବିଧାନସଭା ଅଧିବେଶନର ଦ୍ୱିତୀୟାର୍ଦ୍ଧରେ ସଂସଦୀୟ ବ୍ୟାପାର ମନ୍ତ୍ରୀ ନିରଞ୍ଜନ ପୂଜାରୀ ଦେଶର ୧୫ତମ ନବନିଯୁକ୍ତ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବା ପାଇଁ ଏକ ସଂକଳ୍ପ ପ୍ରସ୍ତାବ ଆଗତ କରିଥିଲେ । ଦେଶର ସର୍ବୋଚ୍ଚ ପଦରେ ଆସୀନ ହୋଇଥିବାରୁ ଶ୍ରୀମତୀ ମୁର୍ମୁଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଗୃହ କମିଟିକୁ ଦିଲ୍ଲୀ ପଠାଇବାକୁ ସେ ପ୍ରସ୍ତାବ ଦେଇଥିଲେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ଶ୍ରୀ ପୂଜାରୀଙ୍କ ପ୍ରସ୍ତାବକୁ ଗୃହରେ ସବୁ ଦଳ ସମର୍ଥନ କରିଥିଲେ ।
କଂଗ୍ରେସ ବିଧାୟକ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଥିଲେ ଯେ, ଏହା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ । ତେବେ ମହାମହିମ ନବନିଯୁକ୍ତ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ବାଚସ୍ପତିଙ୍କ ନେତୃତ୍ୱରେ ସବୁ ଦଳର ବିଧାୟକଙ୍କୁ ନେଇ ଏକ ପ୍ରତିନିଧି ଦଳ ଦିଲ୍ଲୀ ଗସ୍ତରେ ଯିବାକୁ ସେ କହିଥିଲେ ।
ସେହିପରି ବିଜେପି ବିଧାୟକ ଦଳ ଉପନେତା ବିଷ୍ଣୁ ସେଠୀ କହିଥିଲେ ଯେ, ଗୃହରେ ଆଗତ ହୋଇଥିବା ସଂକଳ୍ପ ପ୍ରସ୍ତାବକୁ ପାରିତ କରିବା ପାଇଁ ସେ ନିଜେ ଓ ତାଙ୍କ ଦଳ ଆନ୍ତରିକତା ସହ ସମର୍ଥନ ଜଣାଉଛି । ଓଡ଼ିଶା ନିଶ୍ଚିତ ଭାବେ ଏଥିରୁ ଉପକୃତ ହେବ ।
ବାଚସ୍ପତି ବିକ୍ରମ କେଶରୀ ଆରୁଖ କହିଥିଲେ ଯେ, ନୂଆଦିଲ୍ଲୀରେ ବିଧାୟକମାନେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ମୁର୍ମୁଙ୍କୁ ସମ୍ବର୍ଦ୍ଧିତ କରିବା ପାଇଁ ଆସିଥିବା ପ୍ରସ୍ତାବକୁ ସେ ଅନୁଧ୍ୟାନ କରିବେ ।
Powered by Froala Editor