ଗଛରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା କରଦାଙ୍ଗୀ ପଂଚାୟତ ରଗଡା ଗ୍ରାମ ବିଦ୍ୟାଳୟ ନିକଟସ୍ଥ ଏକ ମହୁଲ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର ହୋଇଛି । ମୃତ ଯୁବକ ହେଲେ ଦେବଗଡ଼ ଜିଲ୍ଲା ବାରକୋଟ ଥାନା ବଁପରଡା ଗ୍ରାମର ରମେଶ ନାଏକ ଙ୍କ ପୁଅ ବୁଟା ନାଏକ (୨୭) । ସେ ରଗଡା ସ୍ଥିତ ଶ୍ବଶୁର ଘର କୁ ଆସିଥିବା ବେଳେ ତାଙ୍କୁ ହତ୍ୟା କରାଯାଇ ଗଛରେ ଝୁଲାଇ ଦିଆ ଯାଇଥିବା ତାଙ୍କ ପରିବାର ଲୋକ ଅଭିଯୋଗ ଆଣିଛନ୍ତି । ସ୍ଥାନୀୟ ପୁଲିସ୍ ଅପମୃତ୍ୟୁ ମାମଲା ରୁଜୁ କରିଛି ।
ଅଭିଯୋଗ ଅନୁଯାୟୀ,ବୁଟା ନାଏକ ଦୁଇ ବର୍ଷ ପୂର୍ବେ ରଗଡା ଗ୍ରାମର ମଣିଆ ମୁଖୀ ଙ୍କ ଝିଅକୁ ପ୍ରେମ ବିବାହ କରିଥିଲେ । ମଣିଆ ମୁଖୀ ଙ୍କ ପୈତୃକ ଘର ଅନୁଗୁଳ ଜିଲ୍ଲା ମଗର ମହାଣ ଗ୍ରାମରେ ହୋଇଥିବା ବେଳେ ସେ କିଛିବର୍ଷ ହେବ ରଗଡା ସ୍ଥିତ ମାମୁଁ ଶ୍ବଶୁର ଘରେ ଘର ଜ୍ବାଇଁ ଭାବେ ରହି ଆସୁଥିଲେ । ତେବେ ମଣିଆ ଗତ ବୁଧବାର ଦିନ ଝିଅ,ଜ୍ବାଇଁ ଓ ନାତିକୁ ଘରକୁ ଡ଼ାକି ଆଣିଥିଲେ । ଶନିବାର ରାତିରେ ମଣିଆ ମୁଖୀ ଓ ତାଙ୍କ ପରିବାର ଲୋକ ବୁଟାଙ୍କ ଶରୀର ଅସୁସ୍ଥ ଓ ସଙ୍କଟା ପର୍ଣ୍ଣ ଥିବା ନେଇ ଭାଇ ସୁଦର୍ଶନଙ୍କୁ ଫୋନ କରି ଜଣାଇଥିଲେ । ଏହା ପରେ ବୁଟା ଙ୍କ ପରିବାର ଲୋକ ସଙ୍ଗେ ସଙ୍ଗେ ରଗଡ଼ା ଗ୍ରାମର ବନ୍ଧୁ ଘରେ ଆସି ପହଞ୍ଚିଲା ବେଳକୁ ସେଠାରେ କେହି ନଥିବା ଦେଖିଥିଲେ । ଏବଂ ବୁଟା ଙ୍କ ମୃତ ଶରୀର ବିଦ୍ୟାଳୟ ନିକଟସ୍ଥ ମୁଖ୍ୟ ରାସ୍ତା କଡ଼ରେ ଏକ ମହୁଲ ଗଛରେ ଝୁଲୁ ଥିବା ଦେଖିଥିଲେ । ଏହା ପରେ ଘଟଣାକୁ ନେଇ ମୃତକଙ୍କ ପରିବାର ଲୋକ ତେଲକୋଇ ଥାନାରେ ଜଣାଇଥିଲେ । ଅଭିଯୋଗ ପାଇ ତେଲକୋଇ ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିବା ସହିତ ପ୍ରାଥମିକ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ପତ୍ନୀ କୌଶଲ୍ୟା ଙ୍କ ପରକୀୟା ପ୍ରୀତି ଥିବା ନେଇ ଉଭୟ ସ୍ବାମୀ ଓ ସ୍ତ୍ରୀ ଙ୍କ ମଧ୍ୟରେ ବିଭିନ୍ନ ସମୟରେ ପାରିବାରିକ ବିବାଦ ଦେଖା ଦେଉଥିଲା । ଏହାକୁ ନେଇ ଶ୍ବଶୁର ଘର ଲୋକ ଯୁବକଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି । ତେବେ ଏହାକୁ ପୁଲିସ୍ ଖଣ୍ଡନ କରୁଥିବା ବେଳେ ଆତ୍ମହତ୍ୟା ହୋଇଥିବା ନେଇ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି ।
Powered by Froala Editor