ଗ୍ଲୋବାଲ ଟେଣ୍ଡରକୁ କ୍ୟାବିନେଟ୍ର ମଞ୍ଜୁରୀ: ବିଶ୍ୱର କମ୍ପାନୀମାନଙ୍କ ଠୁ ରାଜ୍ୟ ସରକାର କିଣିବେ ଟିକା
କରୋନା ଟିକାକରଣକୁ ବ୍ୟବସ୍ଥିତ କରିବା ପାଇଁ ଗ୍ଲୋବାଲ ଟେଣ୍ଡର କରାଯିବ ବୋଲି ରାଜ୍ୟ କ୍ୟାବିନେଟରେ ନିଷ୍ପତ୍ତି ହୋଇଛି । ସାରା ବିଶ୍ୱର କମ୍ପାନୀମାନଙ୍କ ଠାରୁ ରାଜ୍ୟ ସରକାର ଟିକା କିଣିବା ନେଇ ନିଷ୍ପତ୍ତି ଉପରେ ମୋହର ଲାଗିଛି । ଏହାକୁ ଖୁବ୍ ଶିଘ୍ର କାର୍ଯ୍ୟକାରୀ କରାଯିବ ବୋଲି ଜଣା ପଡ଼ିଛି ।
ନିଷ୍ପତ୍ତି ଅନୁସାରେ ଦେଶ-ବିଦେଶର ବିଭିନ୍ନ କଂପାନିରୁ ସରକାର ଟିକା ଆଣିବେ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର କହିଛନ୍ତି । ଟିକା ଉପରୁ ସମସ୍ତ ଟିକସ ଉଠାଇବା ପାଇଁ କେନ୍ଦ୍ରକୁ ଦାବି କରାଯିବ ବୋଲି ସେ ସୂଚନା ଦେଇଛନ୍ତି । ଟିକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ହେବ । ଗ୍ଲୋବାଲ ଟେଣ୍ଡର ପାଇଁ ବୈଷୟିକ କମିଟି ଗଠନ ହେବ । ଏହି କମିଟି ଟେଣ୍ଡର ବ୍ୟବସ୍ଥା ଉପରେ ବିଶଦ ଧ୍ୟାନଦେବ ।
ସୂଚନାଯୋଗ୍ୟ, ରାଜ୍ୟରେ କରୋନାର ୨ୟ ଲହର ଦେଖାଯିବା ପରେ ବିଗତ କିଛି ଦିନ ହେବ ସଂକ୍ରମିତଙ୍କ ସଂଖ୍ୟା ଦୈନିକ ହାରାହାରୀ ୧୦ ହଜାର ରହୁଛି । ଏହାରି ମଧ୍ୟରେ ରାଜ୍ୟରେ ୫ ଲକ୍ଷ ୪୪ ହଜାର ୮୭୩ ଜଣ କରୋନାରେ ସଂକ୍ରମିତ ହୋଇଥିବା ବେଳେ ୪ ଲକ୍ଷ ୫୭ ହଜାର ୫୬୯ ଜଣ ସୁସ୍ଥ ହୋଇ ସାରିଛନ୍ତି । କିନ୍ତୁ ଦୁଃଖର ବିଷୟ ଯେ, ଏପର୍ଯ୍ୟନ୍ତ ୨୧୯୭ ଜଣ କରୋନାରେ ପ୍ରାଣ ହାରିଥିବା ବେଳେ ଏବେ ୮୫ ହଜାର ୫୪ ଜଣଙ୍କର ଚିକିତ୍ସା ଜାରି ରହିଛି । ଏହାରି ମଧ୍ୟରେ ରାଜ୍ୟ ସରକାର କରୋନା ଟିକାକରଣକୁ ଅଧିକ ଗୁରୁତ୍ୱ ଦେଉଛନ୍ତି ।
କ୍ୟାବିନେଟ୍ରେ ୧୧ ପ୍ରସ୍ତାବକୁ ମଞ୍ଜୁରୀ :
ଏହା ବ୍ୟତୀତ କ୍ୟାବିନେଟ ବୈଠକରେ ଜଳସମ୍ପଦ, ଶିଳ୍ପ, ବାଣିଜ୍ୟ ଓ ପରିବହନ, ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅନ୍ୟ ୧୦ଟି ପ୍ରସ୍ତାବ ଗୃହୀତ ହୋଇଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ ବୈଠକରେ ମୋଟ ୧୧ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। ସାମୁହିକ ଟିକାକରଣ ମାଧ୍ୟମରେ ରାଜ୍ୟବାସୀଙ୍କୁ କୋଭିଡ୍-୧୯ରୁ ସୁରକ୍ଷିତ ରଖିବା ନିମନ୍ତେ ଗ୍ଲୋବାଲ ଟେଣ୍ଡର ମାଧ୍ୟମରେ ଟିକା କ୍ରୟ କରିବାର ସଂକଳ୍ପ ପ୍ରସ୍ତାବ ସମେତ ଅନ୍ୟ ୧୦ଟି ପ୍ରସ୍ତାବ ଗୃହୀତ ହୋଇଛି। ଏଥିରେ ରାଜ୍ୟ ଜଙ୍ଗଲ ଓ ପରିବେଶ ବିଭାଗର ନାଁକୁ ପରିବର୍ତ୍ତନ କରାଯାଇ ‘ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ’ ରଖାଯାଇଛି। କ୍ୟାବିନେଟ ଏହି ପ୍ରସ୍ତାବକୁ ମଧ୍ୟ ମଞ୍ଜୁରୀ ଦେଇଛନ୍ତି।
Powered by Froala Editor