୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁ ଦେଶର ୧୫ତମ ରାଷ୍ଟ୍ରପତି ଭାବେ ଆସନ୍ତା ୨୫ ତାରିଖରେ ପଦ ଓ ଗୋପନୀୟତାର ଶପଥ ନେବେ । ଏହି ଶପଥ ସମାରୋହରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆସନ୍ତା ୨୩ ତାରିଖରେ ନୂଆଦିଲ୍ଲୀ ଗସ୍ତ କରିବାର କାର୍ୟ୍ୟକ୍ରମ ରହିଛି ।
ମୁଖ୍ୟମନ୍ତ୍ରୀଙ୍କ କାର୍ୟ୍ୟାଳୟ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ୪ ଦିନିଆ ନୂଆଦିଲ୍ଲୀ ଗସ୍ତରେ ଯିବେ । ଏନଡିଏ ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ଶପଥ ସମାରୋହରେ ସାମିଲ ହେବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକଙ୍କୁ ନିମନ୍ତ୍ରଣ ମିଳିଛି । ଏଥିପାଇଁ ଶ୍ରୀ ପଟ୍ଟନାୟକ ଆସନ୍ତା ୨୩ ତାରିଖରେ ନୂଆଦିଲ୍ଲୀ ଗସ୍ତରେ ଯାଇ ୨୬ ତାରିଖରେ ଫେରିବାର କାର୍ୟ୍ୟକ୍ରମ ରହିଛି । ନବୀନ ଏହି ଗସ୍ତବେଳେ କେତେକ କେନ୍ଦ୍ରମନ୍ତ୍ରୀଙ୍କୁ ସାକ୍ଷାତ କରିବା ସହ ବିଜେଡି ସାଂସଦମାନଙ୍କୁ ଭେଟିବେ ବୋଲି ଜଣାପଡ଼ିଛି । ଶ୍ରୀମତୀ ମୁର୍ମୁ ବିଜେପି ନେତୃତ୍ୱାଧୀନ ଏନଡିଏ ପ୍ରାର୍ଥୀ ହୋଇଥିଲେ ମଧ୍ୟ ତାଙ୍କ ପାଇଁ ଓଡ଼ିଶାରେ ପ୍ରଚାରର ମଙ୍ଗ ବିଜେଡି ସମ୍ଭାଳିଥିଲା । ତେଣୁ ଏହି କାରଣରୁ ଅଣଏନଡିଏ ଓ ଅଣୟୁପିଏ ମୁଖ୍ୟମନ୍ତ୍ରୀ ଭାବେ ଶ୍ରୀ ପଟ୍ଟନାୟକଙ୍କ ସମେତ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇଏସ୍ ଜଗନମୋହନ ରେଡ୍ଡୀଙ୍କୁ ଶପଥ ସମାରୋହରେ ସାମିଲ ହେବେ ବୋଲି ସୂଚନା ମିଳିଛି ।
Powered by Froala Editor