କୋରାପୁଟରେ ରେକର୍ଡ ବର୍ଷା, ନୂଆଗଡ଼ରେ ଘର ଛାଡ଼ି ପଳାଇଲେ ଲୋକେ
ଗତ ୨୪ ଘଣ୍ଟା ମଧ୍ୟରେ କୋରାପୁଟ ଜିଲାରେ ସର୍ବାଧିକ ୬୦୭.୨ ମିଲିମିଟର ବର୍ଷା ରେକର୍ଡ କରାଯାଇଛି। ଏହି ସମୟ ମଧ୍ୟରେ ଜିଲାର କୋଟପାଡ଼ ବ୍ଲକରେ ସର୍ବାଧିକ ୧୨୯ ମିମି ବର୍ଷା ରେକର୍ଡ କରାଯାଇଥିବାବେଳେ ପଟ୍ଟାଙ୍ଗି ବ୍ଲକରେ ସର୍ବନିମ୍ନ ୭ ମିମି ବର୍ଷା ରେକର୍ଡ କରାଯାଇଛି।
କୋରାପୁଟ ବ୍ଲକରେ ୨୯.୪ ମିମି, ଲମତାପୁଟ ବ୍ଲକରେ ୬୧.୪ ମିମି, କୁନ୍ଦ୍ରା ବ୍ଲକରେ ୪୬ ମିମି, ଦଶମନ୍ତପୁର ବ୍ଲକରେ ୪୫ ମିମି, ବୈପାରୀଗଡ଼ା ବ୍ଲକରେ ୭୨ ମିମି, ଜୟପୁରରେ ୫୩.୬ ମିମି, ଲକ୍ଷ୍ମୀପୁରରେ ୩୧ ମିମି, ସେମିଳିଗୁଡ଼ାରେ ୧୭ ମିମି, ନାରାୟଣପାଟଣାରେ ୨୧.୬ ମିମି, ନନ୍ଦପୁରରେ ୪୫ ମିମି, ବନ୍ଧୁଗାଁରେ ୩୪ ମିମି, ବୋରିଗୁମ୍ମାରେ ୧୫.୨ ମିମି ବର୍ଷା ହୋଇଥିବା ଜିଲା ଜରୁରୀ ବିଭାଗ ପକ୍ଷରୁ ଜଣାଯାଇଛି ା ଜିଲାରେ ପ୍ରବଳ ବର୍ଷା ଯୋଗୁ ଉପ ଇନ୍ଦ୍ରାବତୀ ଜଳଭଣ୍ଡାରରେ ବର୍ତ୍ତମାନ ଜଳସ୍ତର ୬୩୧.୩ ମିଟରକୁ ବୃଦ୍ଧି ଘଟିଛି । ସେହିପରି ତେଲେଙ୍ଗିରି ଜଳଭଣ୍ଡାରରେ ଜଳସ୍ତର ୬୨୩.୮୫ମିଟରକୁ ବୃଦ୍ଧି ପାଇଛି। କୋରାପୁଟର ଅପର କୋଲାବ ଜଳ ଭଣ୍ଡାରର ଜଳସ୍ତର ୮୪୬.୩୯ ମିଟରକୁ ବୃଦ୍ଧି ପାଇଥିବା ଜିଲା ଜରୁରୀ ବିଭାଗର ଅଧିକାରୀ ଜ୍ଞାନଜିତ ତ୍ରିପାଠୀ ସୂଚନା ଦେଇଛନ୍ତି।
ଗଜପତି ଜିଲ୍ଲା ନୂଆଗଡ଼ ବ୍ଲକର ନୂଆପଲ୍ଲୀ ଗାଁରେ ମଧ୍ୟ ଲଗାଣ ବର୍ଷା ଯୋଗୁ ପାହାଡ଼ ଧସିବାରୁ ୫ଟି ଘର ନଷ୍ଟ ହୋଇଯାଇଛି। ଏହି ଘରଗୁଡ଼ିକ ପଥର ଓ କାଦୁଅରେ ପୋତି ହୋଇଯାଇଛି। ଗ୍ରାମବାସୀ ଭୟଭୀତ ହୋଇ ଗାଁ ଛାଡ଼ି ପଳାଇଛନ୍ତି।
ଲଘୁଚାପ ପ୍ରଭାବରେ ରାଜ୍ୟରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଲଘୁଚାପ କ୍ଷେତ୍ରଟି ଦକ୍ଷିଣ ଓଡ଼ିଶା ଉପକୂଳ ଏବଂ ପାର୍ଶ୍ଵବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିଛି। ଆଗମୀ ୩୬ ଘଣ୍ଟାରେ ଏହା ଆହୁରି ଘନୀଭୂତ ହେବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ୱିଟ୍ କରି ସୂଚନା ଦିଆଯାଇଛି।
Powered by Froala Editor