ବିଧିବଦ୍ଧ ଭାବେ ଟାଟା କମ୍ପାନୀ ହାତକୁ ଗଲା ନୀଳାଚଳ ଇସ୍ପାତ କାରଖାନା
ବିଧିବଦ୍ଧ ଭାବେ ଟାଟା କମ୍ପାନୀ ହାତକୁ ଗଲା ଯାଜପୁର ଜିଲ୍ଲା କଳିଙ୍ଗନଗରରେ ଥିବା ନୀଳାଚଳ ଇସ୍ପାତ କାରଖାନା । କେନ୍ଦ୍ର ସରକାରଙ୍କ ୪ଟି ଓ ଓଡ଼ିଶା ସରକାରଙ୍କ ୨ଟି ଉଦ୍ୟୋଗର ମିଳିତ ମାଲିକାନାରେ ଥିବା ଯାଜପୁରର କଳିଙ୍ଗନଗରସ୍ଥିତ ନୀଳାଚଳ ଇସ୍ପାତ ନିଗମର ୯୩.୭୧% ଅଂଶଧନକୁ ଆଜି ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ଲିଃ ହସ୍ତାନ୍ତର ହୋଇଛି । ମୋଟ୍ ୧୨୧୦୦କୋଟି ଟଙ୍କା ଦେଇ ଟାଟା ଷ୍ଟିଲ ଲଙ୍ଗ ପ୍ରଡକ୍ଟସ ଲିଃ ଏହି ଅଂଶଧନକୁ କ୍ରୟ କରିଛି । ଏହା ସହିତ ନୀଳାଚଳ ଇସ୍ପାତ ନିଗମ ଲିମିଟେଡରୁ ରଣନୀତିକ ପୁଞ୍ଜି ପ୍ରତ୍ୟାହାର ପ୍ରକ୍ରିୟା ଶେଷ ହୋଇଛି ।
୮ ବର୍ଷରେ ୮୦ ହଜାର କୋଟି ଟଙ୍କା ବିନିଯୋଗ କରିବାକୁ ଲକ୍ଷ୍ୟ ରଖିଛି ଟାଟା କମ୍ପାନୀ । କଳିଙ୍ଗନଗରରେ ୩୦୦ ଏକର ଜାଗାରେ ଷ୍ଟିଲ ଡାଉନ ଷ୍ଟ୍ରିମ ପାର୍କ ପ୍ରତିଷ୍ଠା କରାଯିବ । ପୂର୍ବରୁ ଯେଉଁ ଶ୍ରମିକ ମାନଙ୍କ ବକେୟା ରହିଛି ସେମାନଙ୍କୁ ମଧ୍ୟ ଭରଣ କରାଯିବ । ଯେଉଁଥିପାଇଁ ୩୮୦ କୋଟି ଟଙ୍କା ଅଟକଳ ରଖାଯାଇଛି ।
ସୂଚନାଯୋଗ୍ୟ, ବାର୍ଷିକ ୧.୧ ନିୟୁତ ଟନ୍ ଉତ୍ପାଦନର କ୍ଷମତା ବିଶିଷ୍ଟ ମେଗା ଇସ୍ପାତ କାରଖାନା ନୀଳାଚଳ ଇସ୍ପାତ ନିଗମରୁ ପୁଞ୍ଜି ପ୍ରତ୍ୟାହାର ଓ ବିକ୍ରୟ ନିମନ୍ତେ ୨୦୨୨ ଜାନୁୟାରୀ ୩୧ରେ ନିଲାମ ଡକା ହୋଇଥିଲା । ସେଥିରେ ଟାଟା କମ୍ପାନୀ (ଟାଟା ଷ୍ଟିଲ ଲଂଗ ପ୍ରଡକ୍ଟ ଲିମିଟେଡ) ସର୍ବାଧିକ ଅର୍ଥ ଦେବାର ପ୍ରସ୍ତାବ ଦେବାପରେ ଏହି କମ୍ପାନୀକୁ ୨୦୨୨ ଫେବୃୟାରୀ ୨ତାରିଖରେ ଲେଟର ଅଫ ଆୱାର୍ଡ ପ୍ରଦାନ କରାଯାଇଥିଲା ।
Powered by Froala Editor