ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ
ଆଜିଠୁ ଆରମ୍ଭ ହେବ ବିଧାନସଭାର ମୌସୁମୀ ଅଧିବେଶନ । ଏହି ଅଧିବେଶନରେ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ପ୍ରଥମ ଦିନରେ ହିଁ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ବଜେଟ ଆଗତ କରିବେ । ନୂଆ ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରଥମ ଥର ପାଇଁ ଗୃହ କାର୍ୟ୍ୟ ପରିଚାଳନା କରିବେ ।
ଏଥର ବି କୋଭିଡ କଟକଣା ଭିତରେ ଗୃହ କାର୍ୟ୍ୟ ପରିଚାଳିତ ହେବ । ଏଥିପାଇଁ ସମସ୍ତ ବିଧାୟକ, ମନ୍ତ୍ରୀ, ବିଧାନସଭା କର୍ମଚାରୀ, ସୁରକ୍ଷା କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧିଙ୍କର କୋଭିଡ ପରୀକ୍ଷା କରାଯାଇଛି ।ଏହି ଅଧିବେଶନ ଦୁଇଟି ପର୍ୟ୍ୟାୟରେ ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ୟ୍ୟନ୍ତ ଚାଲିବ । ଏଥିରେ ମୋଟ ୨୪ଟି କାର୍ୟ୍ୟ ଦିବସ ରହିଛି । ପ୍ରଥମ ପର୍ୟ୍ୟାୟରେ ୨ରୁ ୬ ତାରିଖ ଓ ଦ୍ୱିତୀୟ ପର୍ୟ୍ୟାୟ ୧୩ରୁ ଅଗଷ୍ଟ ୪ ପର୍ୟ୍ୟନ୍ତ ଚାଲିବ ।
ବଜେଟ ଉପରେ ଜୁଲାଇ ୫ ଓ ୬ ତାରିଖରେ ଆଲୋଚନା ହେବ । ୭ରୁ ୧୨ ତାରିଖ ପର୍ୟ୍ୟନ୍ତ ଗୃହ ମୁଲତବୀ ରହିବ । ୧୩ ତାରିଖରେ ବିଭିନ୍ନ ଷ୍ଟାଣ୍ଡିଂ କମିଟିର ରିପୋର୍ଟ ଉପସ୍ଥାପନ ହେବ ଗୃହରେ । ୧୪ରୁ ବିଭିନ୍ନ ବିଭାଗର ଖର୍ଚ୍ଚଦାବି ଆଗତ ସହ ଆଲୋଚନା ହେବ। ଜୁଲାଇ ୩୦ରେ ବ୍ୟୟମଞ୍ଜୁରୀ ବିଲ୍ ଉପସ୍ଥାପନ ହେବ । ଅଗଷ୍ଟ ୨ ଓ ୪ରେ ପ୍ରାଇଭେଟ ମେମ୍ବର୍ସ ବିଲ୍ ଆଗତ କରାଯିବ ।
ପଞ୍ଚାୟତ ଓ ପୌର ନିର୍ବାଚନ ଯୋଗୁ ୨୦୨୨-୨୩ ପାଇଁ ଗତ ମାର୍ଚ୍ଚରେ ୪ ମାସିଆ କାମଚଳା ବଜେଟ ପାରିତ ହୋଇଥିଲା । ଏବେ ପୂର୍ଣ୍ଣାଙ୍ଗ ବଜେଟ ଆସିବ । ଏହି ଲମ୍ବା ଅଧିବେଶନରେ ଅନେକ ପ୍ରସଙ୍ଗ ଉଠାଇ ବିରୋଧୀ ସରକାରଙ୍କୁ ଘେରିବାକୁ ଚେଷ୍ଟା କରିବେ ।
ଅପରପକ୍ଷରେ ପଞ୍ଚାୟତ ଓ ପୌର ପରେ ଉପନିର୍ବାଚନ ଜିତି ସରକାରୀ ଦଳର ଆତ୍ମବିଶ୍ୱାସ ଆହୁରି ବଢ଼ିଛି । ବିରୋଧୀଙ୍କୁ କଡ଼ା ମୁକାବିଲା କରିବାକୁ ସରକାରୀ ଦଳ ମଧ୍ୟ ପ୍ରସ୍ତୁତ ରହିଛି ।
Powered by Froala Editor