ଇସ୍ତଫା ଦେଲେ ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ

ନୂଆଦିଲ୍ଲ: ଆସାମ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲ ଇସ୍ତଫା ଦେଇଥିବା ଜଣାଯାଇଛି । ରାଜ୍ୟପାଳ ଜଗଦୀଶ ମୁଖୀଙ୍କୁ ସେ ନିଜର ଇସ୍ତଫାପତ୍ର ପ୍ରଦାନ କରିଛନ୍ତି । ଅନ୍ୟପକ୍ଷରେ ଆଜି ଆସାମ ବିଧାୟକ ଦଳ ବୈଠକ ବସିବ ବୋଲି ଜଣାଯାଇଛି । ସର୍ବାନନ୍ଦ ସୋନୱାଲଙ୍କ ଇସ୍ତଫା ପରେ ଆସାମବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ତାକୁ ନେଇ କଳ୍ପନାଜଳ୍ପନା ଜାରି ରହିଛି ।
ନିକଟରେ ଅନୁଷ୍ଠିତ ବିଧାନସଭା ନିର୍ବାଚନରେ ଭାଜପା ବିଜୟୀ ହେବାପରେ ରାଜ୍ୟରେ କିଏ ମୁଖ୍ୟମନ୍ତ୍ରୀ ହେବେ ତାହାକୁ ନେଇ ଆରମ୍ଭ ହୋଇଛି ଅଙ୍କକଷା। ସେଥିପାଇଁ ସର୍ବାନନ୍ଦ ସୋନୋୱାଲ ଏବଂ ହିମନ୍ତ ବିଶ୍ୱ ଶର୍ମା ଦୁଇ ଦାବିଦାର ଶନିବାର ନୂଆଦିଲ୍ଲୀରେ ପହଞ୍ଚିଥିଲେ। ସେମାନେ ସେଠାରେ ଦଳର ବରିଷ୍ଠ ନେତୃବୃନ୍ଦଙ୍କ ସହିତ ଆଲୋଚନା କରିଥିଲେ। ସୂଚନାଯୋଗ୍ୟ ଯେ ଗତଥର ମଧ୍ୟ ଭାଜପା ରାଜ୍ୟରେ ବିଜୟୀ ହୋଇଥିଲା ଏବଂ ନିର୍ବାଚନ ପୂର୍ବରୁ କରାଯାଇଥିବା ଘୋଷଣା ଅନୁଯାୟୀ ସର୍ବାନନ୍ଦ ସୋନୋୱାଲ ମୁଖ୍ୟମନ୍ତ୍ରୀ ଭାବରେ ଅଧିଷ୍ଠିତ ହୋଇଥିଲେ। ତେବେ ଚଳିତ ଥର ଦଳ କାହାକୁ ମୁଖ୍ୟମନ୍ତ୍ରୀ ଭାବରେ ଉପସ୍ଥାପିତ କରିନଥିଲା। ସୋନୋୱାଲଙ୍କ ମନ୍ତ୍ରିମଣ୍ଡଳରେ ସ୍ୱାସ୍ଥ୍ୟମନ୍ତ୍ରୀ ଥିବା ହିମନ୍ତ ବିଶ୍ୱ ଶର୍ମା ମୁଖ୍ୟମନ୍ତ୍ରୀ ପଦ ପାଇଁ ଦାବିଦାର ଭାବେ ଚଳିତ ଥର ଉଭା ହୋଇଛନ୍ତି। ଉଭୟ ନେତା ଆଜି ନୂଆଦିଲ୍ଲୀଠାରେ ପହଞ୍ଚିଥିଲେ ମଧ୍ୟ କେବଳ ଶ୍ରୀ ଶର୍ମା ଭାଜପା ସଭାପତି ଜେ ପି ନଡ୍ଡା ଏବଂ ଦଳର ସାଧାରଣ ସଂପାଦକଙ୍କୁ ଭେଟି ଆଲୋଚନା କରିଛନ୍ତି। ପରବର୍ତ୍ତୀ ସମୟରେ ଶ୍ରୀ ନଡ୍ଡା, ଗୃହମନ୍ତ୍ରୀ ଅମିତ ଶାହ ଏବଂ ଆସାମର ଦୁଇ ନେତାଙ୍କ ଉପସ୍ଥିତରେ ଆଲୋଚନା କରାଯିବ ବୋଲି ଆସାମର ଭାଜପା ମୁଖପାତ୍ର ରୂପମ ଗୋସ୍ୱାମୀ କହିଛନ୍ତି।
Powered by Froala Editor