ମୁଁ ବାହା ହେବାକୁ ରାଜି ବୋଲି ସମସ୍ତଙ୍କ ସାମ୍ନାରେ କହି ସାରିଛି:ବିଜୟଶଙ୍କର

ଭୁବନେଶ୍ୱର: ଥାନାରେ ବାନ୍ଧବୀ ସୋମାଲିକା ଦାଶଙ୍କ ଏତଲାକୁ ନେଇ ମୁହଁ ଖୋଲିଛନ୍ତି ତିର୍ତ୍ତୋଲର ବିଜେଡି ବିଧାୟକ ବିଜୟଶଙ୍କର ଦାସ। ପ୍ରତିକ୍ରିୟା ଦେଇ ସେ କହିଛନ୍ତି, ମୁଁ ବାହା ହେବାକୁ ରାଜି ବୋଲି ସମସ୍ତଙ୍କ ସାମ୍ନାରେ କହି ସାରିଛି। ଏତଲା ହେବାର ପୂର୍ବ ଦିନ ରାତିରେ ବି ମଧ୍ୟସ୍ଥି କରୁଥିବା ମହିଳାଙ୍କ ସହ ଫୋନ ମେସେଜ୍ ଜରିଆରେ କଥା ହୋଇଥିଲି। କୋର୍ଟ ମ୍ୟାରେଜ ଆବେଦନ ପଞ୍ଜୀକରଣ ହେବାରେ ଆଉ ୬୦ ଦିନ ଅଛି, ଭଲ ସମୟ ଦେଖି ମ୍ୟାରେଜ ପାଇଁ କହିଥିଲି। ବାହାଘର ନିଶ୍ଚିତ ହେବ, ବାହାଘର ପାଇଁ ମନା କରି ନାହିଁ। ମାଆର ଦେହ ଖରାପ ଥିବାରୁ ବାହାଘର ପାଇଁ ସମୟ ମାଗିଥିଲି। ମା’ ଦେହ ଖରାପ ଥିବା ବେଳେ ବାହାଘର ନିମନ୍ତେ ଆବେଦନ କରି ଆସିଥିଲି। ଏ ପର୍ୟ୍ୟନ୍ତ କୌଣସି ସମନ ଆସିନି ବୋଲି ଦାଦା ତାଙ୍କ ପରିବାର ଲୋକଙ୍କୁ ଜଣାଇଥିଲେ। କଣ ପାଇଁ ସେ ଜଲ୍ଦି ବାହା ହେବାକୁ ବାଧ୍ୟ କରୁଛନ୍ତି ଜାଣିପାରୁନି। ବାହା ହେବାକୁ ମନା କରିବା କଥା ଓ ସେକ୍ସ ରାକେଟ ଚଳାଇବା ଅଭିଯୋଗ ଅସତ୍ୟ। ଏବେ ସୋମାଲିକା ଦେଇଥିବା ଏତଲା ସମାଧାନ ପରେ ଯାହା କିଛି ହେବ ବୋଲି ଶ୍ରୀ ଦାସ କହିଛନ୍ତି।
ସେପଟେ ସୋମାଲିକାଙ୍କ ଏଫ୍ଆଇଆର୍ ଆଧାରରେ ଜଗତସିଂହପୁର ପୁଲିସ୍ ବିଜୟ ଶଙ୍କରଙ୍କ ସମେତ ୫ଜଣଙ୍କ ନାଁରେ ମାମଲା ରୁଜୁ କରିଛି।
ସୂଚନା ଯୋଗ୍ୟ ଯେ, ତାଙ୍କ ନାଁରେ ବାନ୍ଧବୀ ସୋମାଲିକା ଦାଶ ଆଣିଥିଲେ ସାଂଘାତିକ ଅଭିଯୋଗ। ସେ ସେକ୍ସ ରାକେଟ୍ ଚଳାଉଥିବା ନେଇ ଜଗତସିଂହପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ।
ଗତ ଶୁକ୍ରବାର ସୋମାଲିକା ଓ ବିଜୟ ଶଙ୍କରଙ୍କ ବିବାହ ହେବାର ଥିଲା। ସେଥିପାଇଁ ସୋମାଲିକା ଜଗତସିଂହପୁର ସବ୍-ରେଜିଷ୍ଟ୍ରାରଙ୍କ କାର୍ୟ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ବିଜୟ ଶଙ୍କର ଯାଇନଥିଲେ। ସବ୍-ରେଜିଷ୍ଟ୍ରାଙ୍କ କାର୍ୟ୍ୟାଳୟକୁ ଆସିନଥିଲେ। ସେଠାରେ ସର୍ବସାଧାରଣରେ ଗଣମାଧ୍ୟମ ସମ୍ମୁଖରେ ତାଙ୍କୁ ଲଜ୍ଜିତ କରିବା ପାଇଁ ବିଜୟ ଶଙ୍କର ଉଦ୍ଦେଶ୍ୟମୂଳକ ଭାବେ ଆସି ନଥିଲେ ବୋଲି ସୋମାଲିକା ତାଙ୍କ ଏଫ୍ଆଇଆରରେ ଉଲ୍ଲେଖ କରିଛନ୍ତି।
Powered by Froala Editor