ଓଡ଼ିଶା ପ୍ରବେଶ କରିବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
ଭୁବନେଶ୍ଵର : ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଓଡ଼ିଶା ଛୁଇଁବ ମୌସୁମୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଓଡ଼ିଶା ପ୍ରବେଶ କରିବା ପାଇଁ ପାଗ ଅନୁକୂଳ ହେଉଛି। ଏନେଇ ଭୁବନେଶ୍ଵର ପାଣିପାଗ କେନ୍ଦ୍ର ପକ୍ଷରୁ ଟ୍ଵିଟ୍ କରି ସୂଚନା ଦିଆଯାଇଛି।
ତେବେ ପହିଲି ରଜରେ ଅସହ୍ୟ ଗୁଳୁଗୁଳି ସମସ୍ତଙ୍କୁ ନାକେଦମ୍ କରିଥିଲା । ଅଧିକ ଆର୍ଦ୍ରତା ଯୋଗୁ ଗୁଳୁଗୁଳି ଅଣାୟତ୍ତ ହୋଇଥିଲା । ତେବେ ଅପରାହ୍ଣରୁ ରାଜ୍ୟର ବହୁ ସ୍ଥାନରେ ପାଗ ବଦଳିଥିଲା । ବର୍ଷା ଆସିଥିଲା । ଘନ ଘନ ବଜ୍ରପାତ ଛାତି ଥରାଇଥିଲା ।
ତେବେ ଆସନ୍ତା ୫ଦିନ ଯାଏ ଓଡ଼ିଶାର ଅଧିକାଂଶ ସ୍ଥାନରେ ବର୍ଷା ହେବ । ବର୍ଷା ସହ ଘଡଘଡି ଓ ଜୋର୍ରେ ପବନ ବି ବହିବ ବୋଲି ଆଇଏମ୍ଡି ସୂଚନା ଦେଇଛି । ସୋଆ ଜଳବାୟୁ କେନ୍ଦ୍ର ନିର୍ଦ୍ଦେଶକ ଡ. ଶରତ ସାହୁ କହିଛନ୍ତି, ବୁଧବାରଠାରୁ ରାଜ୍ୟରେ ତାପମାତ୍ରା କମିବ । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷା ହୋଇଥିବାରୁ ଏଠାରେ ତାପମାତ୍ରା ଯଥେଷ୍ଟ କମିଯିବ । ବାକି ଅଞ୍ଚଳରେ ବି ତାତି ରହିବନି । ଆସନ୍ତା ୨ରୁ ୩ ଦିନ ଭିତରେ ମୌସୁମୀ ଆସି ପହଞ୍ଚିଲେ ବି ବିଶେଷ ବର୍ଷା ନାହିଁ ବୋଲି ସେ କହିଛନ୍ତି । ବୁଧବାରଠାରୁ ଆଭ୍ୟନ୍ତରୀଣ ଓଡ଼ିଶା ସମେତ ଗଜପତି ଓ ଗଞ୍ଜାମରେ ବର୍ଷା ସମ୍ଭାବନା ରହିଛି ।
Powered by Froala Editor