ସ୍ୱାଭିମାନ ଅଞ୍ଚଳରେ ଶୁଭିଲା ନକ୍ସଲ ମୁର୍ଦ୍ଦାବାଦ ନାରା, ଆତ୍ମସମର୍ପଣ କଲେ ୧୮୦ରୁ ଅଧିକ ମିଲିସିଆ
କିଛି ଦିନ ତଳେ ପୁଲିସ ଡିଜି ସୁନୀଲ ବଂଶଲ ମାଲକାନଗିରି ଗସ୍ତ କରି ସ୍ବାଭିମାନ ଅଂଚଳର ଯନ୍ତ୍ରୀ ଠାରେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ପରେ ମାଓ ଦମନ ନେଇ ସମୀକ୍ଷା କରିଥିଲେ। ଏହାପରେ ଆଜି ମାଲକାନଗିରି ସ୍ୱାଭିମାନ ଅଞ୍ଚଳରେ ୧୮୦ରୁ ଅଧିକ ମିଲିସିଆ ସଦସ୍ୟ ଆତ୍ମସମର୍ପଣ କରିଛନ୍ତି। ନକ୍ସଲଙ୍କ ଚିନ୍ତାଧାରାଠାରୁ ନିଜକୁ ମୁକ୍ତ ରଖି ଯୋଡ଼ାମ୍ବ ଯନ୍ତ୍ରୀ ପଞ୍ଚାୟତର ଗାଁ ଲୋକେ ଆତ୍ମସମର୍ପଣ କରିଛନ୍ତି। ଚିତ୍ରକୋଣ୍ଡା ଏସ୍ଡିପିଓ, ଚିତ୍ରକୋଣ୍ଡା ବିଡିଓ ଏବଂ ଯୋଡ଼ାମ୍ବ ଥାନା ଅଧିକାରୀଙ୍କ ଉପସ୍ଥିତିରେ ଆତ୍ମସମର୍ପଣ କରିଛନ୍ତି।
ଏହି ମାଓ ସମର୍ଥକ ଏବଂ ଗ୍ରାମ୍ୟ କମିଟି ସଦସ୍ୟମାନେ ପୁଲିସ ଉପରେ ଗୁଳି ଚଳାଇବା, ହତ୍ୟା କରିବା, ଲୁଟପାଟ କରିବା ଭଳି କାର୍ଯ୍ୟରେ ଲିପ୍ତ ରହିଥିଲେ। ଏଠାରେ ସେମାନଙ୍କୁ ସୁରକ୍ଷା ଦେବାକୁ କେହି ନଥିବାରୁ ବାଧ୍ୟ ହୋଇ ନକ୍ସଲଙ୍କୁ ସମର୍ଥନ କରୁଥିଲେ। ଏବେ ବିଏସଏଫ ଏବଂ ପୁଲିସର ଘନ ଘନ ପଇଁତରା ଏବଂ ଏହି ଅଂଚଳକୁ ସୁରକ୍ଷା ଦେବା ପରେ ମାଓ ସମର୍ଥକମାନେ ବାଧ୍ୟ ହୋଇ ପୁଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି। ଆଗକୁ ମାଓବାଦୀଙ୍କ ହାତ ଛାଡି ବିକାଶର ଧାରାକୁ ଆଗେଇ ନେବେ ବୋଲି ପୁଲିସ ନିକଟରେ ପ୍ରତିଶ୍ରୁତି ଦେଇଥିଲେ।
ଗାଁର କିଛି ଯୁବକ ନକ୍ସଲ ଦେଇଥିବା ୟୁନିଫର୍ମକୁ ଜାଳିଥିଲେ। ଏଥିସହ ନକ୍ସଲ ମୁର୍ଦ୍ଦାବାଦ ନାରା ଦେଇଥିବା ଦେଖିବାକୁ ମିଳିଥିଲା। ହିଂସାରେ କେବେ ମଧ୍ୟ ଗଡ ଜୟ କରାଯାପାରିବ ନାହିଁ ବୋଲି ପୁଲିସ କହିଥିଲା। ତେଣୁ ମାଓବାଦୀମାନେ ଆଲୋଚନା କରିବାକୁ ଆସିବା ସହ ମୁଖ୍ୟସ୍ରୋତରେ ସାମିଲ ହୋଇ ବାକି ଜୀବନ ସୁଖରେ କଟାନ୍ତୁ ବୋଲି ପୁଲିସ କହିଛି।
Powered by Froala Editor