କାଞ୍ଜିପାଣି ଘାଟିରେ ଜଳିଗଲା ଚଳନ୍ତା ବସ୍

କେନ୍ଦୁଝର ଜିଲ୍ଲା କାଞ୍ଜିପାଣି ଘାଟି ନିକଟରେ ଆଜି ଭୋର୍ ସମୟରେ ଏକ ଅଭାବନୀୟ ଘଟଣା ଘଟିଛି। ଏକ ଚଳନ୍ତା ବସ୍ ଇଞ୍ଜିନରୁ ନିଆଁ ଲାଗି ଜଳିଯାଇଛି।
ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୩ଟା ସମୟରେ ପାଢ଼ୀ ନାମକ ଯାତ୍ରୀବାହୀ ବସ୍ ୩୦ ଜଣ ଯାତ୍ରୀଙ୍କୁ ନେଇ ରାଉରକେଲାରୁ କେନ୍ଦୁଝର ଅଭିମୁଖେ ଯାଉଥିଲା। ଏହି ସମୟରେ କାଞ୍ଜିପାଣି ଘାଟି ନିକଟରେ ବସ୍ ଇଞ୍ଜିନରୁ ହଠାତ୍ ଧୂଆଁ ବାହାରିବାକୁ ଲାଗିଲା। ଧୂଆଁ ବାହାରୁଥିବା ଦେଖି ଡ୍ରାଇଭର ଗାଡ଼ି ରଖି ଦେଇଥିବା ବେଳେ ଯାତ୍ରୀମାନେ ବସ୍ରୁ ଓହ୍ଲାଇ ପଡ଼ିଥିଲେ। ପରେ ବସ୍ଟି ଜଳିଯାଇଥିଲା। ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। ଏହି ଦୁର୍ଘଟଣାରେ କୌଣସି ଜୀବନ ହାନୀ ହୋଇ ନଥିବା ଜଣାଯାଇଛି। ବସ୍ରେ ସର୍ଟସର୍କିଟ ହେବା ଯୋଗୁ ନିଆଁ ଲାଗିଥିବା ଜଣାଯାଇଛି। ଏଣେ ଅନ୍ୟ ଏକ ବସରେ ସମସ୍ତ ଯାତ୍ରୀ ଗନ୍ତବ୍ୟସ୍ଥଳକୁ ଯାଇଥିବାର ସୂଚନା ମିଳିଛି।
Powered by Froala Editor