ରାଜ୍ୟରେ ପ୍ରଥମ ଥର ହାଉସବୋଟ ସେବା ଆରମ୍ଭ, ଉଦଘାଟନ କଲେ ନବୀନ

ଖୋର୍ଦ୍ଧା: ରାଜ୍ୟ ପର୍ୟ୍ୟଟନ ମାନଚିତ୍ରରେ ଯୋଡି ହେଲା ଆଉ ଏକ ନୂତନ ଫର୍ଦ୍ଦ । କେରଳ ପରେ ଚିଲିକାର ନୀଳ ଜଳରାଶିରେ ପର୍ୟ୍ୟଟନ ବିଭାଗ ଓ ବିକାଶ ଇକୋ ରିସର୍ଟ ସହାୟତାରେ ଆରମ୍ଭ ହେଲା ବିଳାସପୂର୍ଣ୍ଣ ହାଉସବୋଟ ସେବା । ରାଜ୍ୟରେ ପ୍ରଥମ ଥର ପାଇଁ ଏହି ହାଉସବୋଟ ସେବା ଆରମ୍ଭ ହୋଇଛି । ଚିଲିକା ବରକୁଳ ପାନ୍ଥନିବାସ ନିକଟରେ ଏହି ବୋଟ ସେବାକୁ ଭିଡ଼ିଓ କନଫରେନ୍ସିଂ ଜରିଆରେ ଉଦଘାଟିତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏହି କାର୍ୟ୍ୟକ୍ରମରେ ରାଜ୍ୟ ପର୍ୟ୍ୟଟନ ମନ୍ତ୍ରୀ ଅଶ୍ବିନୀ କୁମାର ପାତ୍ର, ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର,ଏସପି ସିଦ୍ଧାର୍ଥ କଟାରିଆ ଏବଂ ବିକାଶ ଇକୋ ରିସର୍ଟର କର୍ମକର୍ତ୍ତା ଉପସ୍ଥିତ ଥିଲେ ।
ହାଉସବୋଟଟି ସମ୍ପୂର୍ଣ୍ଣ ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଥିବା ବେଳେ ଏହାକୁ ସମ୍ପୂର୍ଣ୍ଣ ଭାବେ ସିସିଟିଭି ନଜରରେ ରଖାଯାଇଛି । ବୋଟଟିର ଲମ୍ବ ୧୦୫ ଫୁଟ ଓ ଓସାର ୨୫ଫୁଟ ରହିଛି । ଡବଲ ଇଞ୍ଜିନ ବିଶିଷ୍ଟ ଏହି ବୋଟରେ ୬ଟି ପରିବାର ପାଇଁ ବ୍ୟବସ୍ଥା ଅଛି । ହାଉସବୋଟଟିକୁ ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ କରାଯାଇଥିବା ବେଳେ ଏଥିରେ ପର୍ୟ୍ୟଟକଙ୍କ ସୁରକ୍ଷା ଉପରେ ବିଶେଷ ଦୃଷ୍ଟି ଦିଆଯାଇଛି ।ସେହିଭଳି ଏହି ହାଉସବୋଟର ନାମ 'ଗରୁଡ଼' ରଖାଯାଇଛି । ଏଥିରେ ୨୪ ଘଣ୍ଟିଆ ରହଣୀର ବ୍ୟବସ୍ଥା ରହିଥିବା ବେଳେ ୧୯ହଜାର ଟଙ୍କାରୁ ୨୯ ହଜାର ଟଙ୍କାରେ ପର୍ୟ୍ୟଟକମାନେ ଏହାର ସୁବିଧା ନେଇପାରିବେ ବୋଲି ବିକାଶର ଚେୟାରମ୍ୟାନ କହିଛନ୍ତି ।
Powered by Froala Editor