ଆରମ୍ଭ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ ନେଇ ନାମାଙ୍କନ
ଭୁବନେଶ୍ବର: ଆରମ୍ଭ ହେବାକୁ ଯାଉଛି ରାଜ୍ୟସଭା ନିର୍ବାଚନ ନେଇ ନାମାଙ୍କନ । ୩ ଟି ଆସନ ପାଇଁ ହେବ ନାମାଙ୍କନ ପ୍ରକ୍ରିୟା । ଅଙ୍କ ଗଣିତରେ ତିନୋଟି ଯାକ ଆସନ ବିଜେଡି ଖାତାକୁ ଯିବା ନିଶ୍ଚିତ । ତେବେ କିଏ ଯିବ ରାଜ୍ୟସଭା ? ସେହି କାର୍ଡ ଖୋଲି ନାହାଁନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।
ରାଜ୍ୟସଭା ଯିବା ନେଇ ଲବି ତେଜିଲାଣି । ଦିଲ୍ଲୀ ଯିବାକୁ ଚାରି ଦିଗରୁ ମାଳମାଳ ଆଶାୟୀ ହାତ ଟେକିଲେଣି । ବିଜେଡି ସୁପ୍ରିମୋଙ୍କ ଉପରେ ସମସ୍ତଙ୍କ ନଜର । କାହାକୁ ରାଜ୍ୟସଭା ଟିକେଟ ମିଳିବ, ସେ ନେଇ ଚାଲିଛି କଳ୍ପନାଜଳ୍ପନା । ଚର୍ଚ୍ଚାରେ ଅନେକ ନେତାଙ୍କ ନାଁ ରହିଛି । କିନ୍ତୁ, ସବୁବେଳେ ସରପ୍ରାଇଜ କାର୍ଡ ଖେଳି ଚକମା ଦେବାରେ ମାହିର ନବୀନ କି ନିଷ୍ପତ୍ତି ନେବେ, କେହି ଠଉରାଇ ପାରୁନାହାନ୍ତି । ଆସନ୍ତା ଜୁଲାଇ ୧ ତାରିଖରେ ସାଂସଦ ପ୍ରସନ୍ନ ଆଚାର୍ୟ୍ୟ, ଏନଭାସ୍କର ରାଓ, ଡକ୍ଟର ସସ୍ମିତ ପାତ୍ରଙ୍କ କାର୍ୟ୍ୟକାଳ ସରୁଛି ।ଏହି ୩ ଆସନ ପାଇଁ ଆସନ୍ତା ଜୁନ ୧୦ ତାରିଖରେ ଭୋଟ ହେବ । ଏନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେଡି ବିଧାୟକ ପ୍ରତାପ ଦେବ । ସେ କହିଛନ୍ତି ଯେ, ସଠିକ ସମୟରେ ପ୍ରାର୍ଥୀ ଚୟନ ହେବା ସହ ନାମାଙ୍କନ ଭରିବେ ପ୍ରାର୍ଥୀ । ମୁଖ୍ୟମନ୍ତ୍ରୀ ସଠିକ ସମୟରେ ନିଷ୍ପତ୍ତି ନେବେ । ସର୍ବୋଚ୍ଚ ନେତା ଭାବେ ତାଙ୍କ ନିକଟରେ ପ୍ରାର୍ଥୀ ଚୟନ କ୍ଷମତା ରହିଛି । ପୂର୍ବରୁ ସଠିକ ସମୟରେ ନେଇଛନ୍ତି । ଚଳିତ ଥର ବି କିଛି ନେତାଙ୍କୁ ପରାମର୍ଶ କରି ନିଷ୍ପତ୍ତି ନେବେ ।
Powered by Froala Editor