କରୋନାର ତୃତୀୟ ଲହର ଘାତକ ସାଜିବ, ଏବେଠୁ ପ୍ରସ୍ତୁତ ରହିବାକୁ ସରକାରଙ୍କୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ
ଦ୍ଵିତୀୟ ଲହର ପାଇଁ ଭାରତ ସରକାରଙ୍କୁ ସତର୍କ କରାଯାଇଥିଲେ ମଧ୍ୟ ସେ ଧ୍ୟାନ ଦେଇନଥିବା ନେଇ ଅଭିଯୋଗ ହେଉଛି । ଏବେ ତୃତୀୟ ଲହର ପାଇଁ ପ୍ରସ୍ତୁତ ରୁହ ବୋଲି କେନ୍ଦ୍ରକୁ କହିଛନ୍ତି ସୁପ୍ରିମକୋର୍ଟ । ଦିଲ୍ଲୀକୁ ଅମ୍ଳଜାନ ଯୋଗାଣ ଉପରେ ଶୁଣାଣି ବେଳେ ସୁପ୍ରିମକୋର୍ଟ କେନ୍ଦ୍ରକୁ କରୋନା ଭାଇରସର ତୃତୀୟ ଲହର ପାଇଁ ଏକ ପ୍ୟାନ-ଇଣ୍ଡିଆ ପଦ୍ଧତି ପ୍ରସ୍ତୁତ କରିବାକୁ କହିଛନ୍ତି। ଏହାଦ୍ୱାରା ସାରା ଭାରତରେ ଅମ୍ଳଜାନର ଅଭାବ ରହିବ ନାହିଁ ଏବଂ ଲୋକଙ୍କୁ ଠିକ ସମୟରେ ଅମ୍ଳଜାନ ମିଳିବ । ଏହା ସହ ସାରା ଭାରତରେ କିପରି ଅମ୍ଳଜାନ ଗଛିତ ରହିବ, ସେ ନେଇ ପ୍ରସ୍ତୁତି ଆରମ୍ଭ କରିବାକୁ କହିଛନ୍ତି ।
ସାରା ଦେଶରେ କରୋନା ଡରାଇଲାଣି । ଦେଶରେ ଥାର୍ଡ ୱେଭ ହିଟ୍ କରିବା ନେଇ ଆଶଙ୍କା ପ୍ରକଟ କରିଛନ୍ତି ବିଶେଷଜ୍ଞ । ଏଥିରେ ଅଧିକ ପ୍ରଭାବିତ ହେବେ ଶିଶୁ । ଯାହାକୁ ନେଇ ଚିନ୍ତା ପ୍ରକଟ କରିବା ସହ କେନ୍ଦ୍ରକୁ ଚେତାଇଛନ୍ତି ସୁପ୍ରିମକୋର୍ଟ । ତୃତୀୟ ଲହରର ମୁକାବିଲା ପାଇଁ କେନ୍ଦ୍ର ସରକାର କ’ଣ ପ୍ଲାନ୍ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି କୋର୍ଟ । ଶିଶୁମାନେ ସଂକ୍ରମିତ ହେଲେ ସ୍ଥିତି ଆହୁରି ସାଂଘାତିକ ହେବ । ଏଭଳି ସ୍ଥିତିରେ ସେମାନଙ୍କ ବାପା, ମାଆ କ’ଣ କରିବେ । ସମ୍ଭାବ୍ୟ ପରିସ୍ଥିତିକୁ ଦୃଷ୍ଟିରେ ରଖି ସରକାର ତୃତୀୟ ଲହର ମୁକାବିଲା ଲାଗି କ’ଣ ଯୋଜନା ପ୍ରସ୍ତୁତ କରିଛନ୍ତି, ତାହା ଜାଣିବାକୁ ଚାହିଁଛନ୍ତି ସୁପ୍ରିମକୋର୍ଟ ।
ଏହାସହ ସୁପ୍ରିମ କୋର୍ଟ କହିଛନ୍ତି ଯେ, କରୋନାର ତୃତୀୟ ଲହରର ପରିଚାଳନା କରିବାକୁ ଆଜିଠୁ ପ୍ରସ୍ତୁତ ହୁଅନ୍ତୁ । ତୃତୀୟ ତରଙ୍ଗ ସମୟରେ ଛୋଟ ପିଲାମାନେ ପ୍ରଭାବିତ ହୋଇପାରନ୍ତି, ପିଲାମାନଙ୍କର ଟିକାକରଣ ନିଶ୍ଚିତ କରନ୍ତୁ । ଯଦି ସରକାର ତୃତୀୟ ଲହରର ମୁକାବିଲା କରିବାରେ ବିଫଳ ରହିବେ, ତେବେ ଏଥିପାଇଁ କେବଳ ସେ ଦାୟୀ ରହିବେ ।
Powered by Froala Editor