ରାନିଲ ବିକ୍ରମସିଂଘେ ଶ୍ରୀଲଙ୍କାର ନୂଆ ପ୍ରଧାନମନ୍ତ୍ରୀ

କଲମ୍ବୋ: ଶ୍ରୀଲଙ୍କା ସଙ୍କଟ ଭିତରେ ଦେଶରେ ନିଯୁକ୍ତ ହୋଇଛନ୍ତି ନୂଆ ପ୍ରଧାନମନ୍ତ୍ରୀ। ଘୋର ଆର୍ଥିକ ବିପର୍ୟ୍ୟୟ ମଧ୍ୟରେ ଗତି କରୁଥିବା ଶ୍ରୀଲଙ୍କାରେ ରାନିଲ ବିକ୍ରମସିଂଘେ ନୂଆ ପ୍ରଧାନମନ୍ତ୍ରୀ ହୋଇଛନ୍ତି। ୨୨୫ ଆସନ ବିଶିଷ୍ଟ ଶ୍ରୀଲଙ୍କା ସଂସଦରେ ରାନିଲ ବିକ୍ରମସିଂଘେଙ୍କ ମାତ୍ର ଜଣେ ସଦସ୍ୟ ଅଛି। ପୂର୍ବରୁ ୪ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ଥିବା ରାନିଲ ବିକ୍ରମସିଂଘେ ପୁଣି ଥରେ ଏହି ଦ୍ୱୀପରାଷ୍ଟ୍ରର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି । ଆର୍ଥିକ ସଙ୍କଟ ନେଈ ଶ୍ରୀଲଙ୍କା ଜଳୁଥିବା ବେଳେ ରାନିଲ ଆଜି ଶପଥ ନେଇଛନ୍ତି । ବୁଧବାର ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଓ ରାନିଲଙ୍କ ମଧ୍ୟରେ ଅନୁଷ୍ଠିତ ଏକ ରୁଦ୍ଧଦ୍ୱାର ବୈଠକ ପରେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବାକୁ ନିଷ୍ପତ୍ତି ନିଆଯାଇଥିଲା ।
ରାନିଲ ପୂର୍ବରୁ ୪ ଥର ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରହିଥିବାରୁ ତାଙ୍କର ଏ କ୍ଷେତ୍ରରେ ଗଭୀର ଅଭିଜ୍ଞତା ରହିଛି । ଗତ ୨୦୧୮ ମସିହାରେ ତତକାଳୀନ ରାଷ୍ଟ୍ରପତି ମୈତ୍ରିପାଳ ସିରିସେନା ତାଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ବହିଷ୍କାର କରିଥିଲେ । ତେବେ ଏହି ଘଟଣାର ୨ ମାସ ପରେ ତାଙ୍କୁ ପୁଣି ପ୍ରଧାନମନ୍ତ୍ରୀ ପଦରେ ଅଧିଷ୍ଠିତ କରାଯାଇଥିଲା । ଶ୍ରୀଲଙ୍କା ସଂସଦରେ ରାନିଲଙ୍କର ମାତ୍ର ଗୋଟିଏ ଆସନ ଥିଲେ ବି ବିରୋଧି ଦଳମାନେ ତାଙ୍କୁ ସମର୍ଥନ କରିଛନ୍ତି। ଅନ୍ୟପଟେ ଶ୍ରୀଲଙ୍କାର ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷଙ୍କ ଉପରେ କଟକଣା ଲଗାଇଛନ୍ତି ସ୍ଥାନୀୟ କୋର୍ଟ।
Powered by Froala Editor