ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ଚୀନ୍ ରାଷ୍ଟ୍ରପତି
ଗୁରୁତର ମସ୍ତିଷ୍କ ରୋଗରେ ପୀଡିତ ଅଛନ୍ତି ଚୀନ୍ ରାଷ୍ଟ୍ରପତି ସି ଜିନ୍ପିଙ୍ଗ୍। ସେରେବ୍ରଲ ଏନ୍ୟୁରିଜିମ୍ ବା ବ୍ରେନ୍ ଏନ୍ୟୁରିଜିମ୍ ରେ ଆକ୍ରାନ୍ତ ହେବାରୁ ୨୦୨୧ ଶେଷ ଆଡ଼କୁ ସି ଜିନ୍ପିଙ୍ଗ୍ଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ରିପୋର୍ଟ ଗଣମାଧ୍ୟମରେ ପ୍ରକାଶ ପାଇଛି। ଏହା ଏକ ଗୁରୁତର ମସ୍ତିଷ୍କ ରୋଗ। ଏହା ବ୍ରେନର ଯେକୌଣସି ଭାଗରେ ହୋଇପାରେ। ଯେକୌଣସି ବୟସର ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହୋଇପାରନ୍ତି । ହେଲେ ୫୦ ବର୍ଷ ପରର ବ୍ୟକ୍ତି ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ଅଧିକ ରହିଛି। ଏହି ରୋଗରେ ରୋଗୀଙ୍କୁ ଷ୍ଟ୍ରୋକ୍, କୋମା ଏପରିକି ମୃତୁ ବି ହୋଇପାରେ।
ରିପୋର୍ଟ ମୁତାବକ, ଗତବର୍ଷ ଶେଷ ଆଡକୁ ସି ଜିନପିଙ୍ଗଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତେବେ ରିପୋର୍ଟ ମୁତାବକ, ଜିନପିଙ୍ଗ ସର୍ଜରୀ ମାଧ୍ୟମରେ ଭଲ ହେବାକୁ ମନା କରିଦେଇଥିଲେ। ସେ ପାରମ୍ପରିକ ଚୀନ ଔଷଧ ଖାଇ ସୁସ୍ଥ ହେବାକୁ ଉଚିତ ମନେ କରିଥିଲେ।
ଜିନପିଙ୍ଗଙ୍କ ଏହି ରୋଗକୁ ନେଇ ପୂର୍ବରୁ ଆଲୋଚନା ହେଉଥିଲା, କାରଣ ଗତ ବେଜିଂ ୱିଣ୍ଟର ଅଲିମ୍ପକ୍ସ ଚାଲିଥିବା ସମୟରେ ଜିନପିଙ୍ଗ କୌଣସି ଦେଶର ନେତାଙ୍କୁ ଭେଟିବାକୁ ମନା କରିଦେଇଥିଲେ। ଏହା ପୂର୍ବରୁ ୨୦୧୯ରେ ଇଟାଲି ଗସ୍ତ ସମୟରେ ରାଷ୍ଟ୍ରପତି ଜିନପିଙ୍ଗ ବ୍ୟସ୍ତ ମନେ ହେଉଥିଲେ। ଏହି ସମୟରେ ତାଙ୍କୁ ଚାଲିବାରେ ସମସ୍ୟା ହେଉଥିବା ଦେଖିବାକୁ ମିଳିଥିଲା। ଏହାପରେ ଫ୍ରାନ୍ସ ଗସ୍ତ ସମୟରେ ତାଙ୍କୁ ବସିବା ପାଇଁ ଅନ୍ୟର ସାହାଯ୍ୟ ଆବଶ୍ୟକ ପଡୁଥିଲା। ୨୦୨୦ରେ ଚୀନର ଶେନଝେନରେ ଅନୁଷ୍ଠିତ ର୍ୟାଲିରେ ସେ ବିଳମ୍ବରେ ମଞ୍ଚରେ ପହଞ୍ଚିଥିଲେ । ଏସବୁ ଦେଖିବା ପରେ ସେ ସୁସ୍ଥ ନଥିବା ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଥିଲା।
Powered by Froala Editor