ଆସାରାମ ବାପୁ କରୋନା ପଜିଟିଭ ଚିହ୍ନଟ

ଯୋଧପୁର: ଦେଶରେ ଭୟଙ୍କର ହେଉଛି କରୋନା ସ୍ଥିତି । ବଢୁଛି କରୋନାର କାୟା । ସ୍ଥିତି ହେଉଛି ବେକାବୁ । ଦେଶରେ କରୋନା ମହାମାରୀର ମହାସମର ଆରମ୍ଭ ହୋଇଯାଇଛି । କରୋନା ଏବେ ଲମ୍ବ ଡିଆଁ ମାରି ଗୋଟିକ ପରେ ଗୋଟିଏ ରାଜ୍ୟରେ ପ୍ରବେଶ କରିଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢି ଚାଲିଛି । ଏହାରି ଭିତରେ ରାଜସ୍ଥାନର ଯୋଧପୁର ସେଣ୍ଟ୍ରାଲ ଜେଲରେ ବନ୍ଦ ଆସାରାମ ବାପୁ କରୋନା ସଂକ୍ରମିତ ହୋଇଛନ୍ତି । ତିନି ଦିନ ପୂର୍ବରୁ ସେ କରୋନା ଲକ୍ଷଣ ଚିହ୍ନଟ ହୋଇଥିଲେ । ଏହା ପରେ ତାଙ୍କର ନମୁନା ପରୀକ୍ଷା ହୋଇଥିଲା ଏବଂ ବୁଧବାର ସନ୍ଧ୍ୟାରେ ତାଙ୍କର ନମୁନା ରିପୋର୍ଟ ପଜିଟିଭ ଆସିଥିଲା ।
କରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଆସାରାମ ଶ୍ୱାସକ୍ରିୟାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏହା ପୂର୍ବରୁ ଗତ ଫେବ୍ରୁଆରୀ ମାସରେ ସେ ଅସୁସ୍ଥ ହୋଇଥିବାରୁ ମହାତ୍ମା ଗାନ୍ଧୀ ହସ୍ପିଟାଲର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି ହୋଇଥିଲେ ।
ସୂଚନାଯୋଗ୍ୟ, ଆସାରାମ ନାବାଳିକାଙ୍କ ସହିତ ଦୁଷ୍କର୍ମ ମାମଲାରେ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି । ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହେବା ସହିତ ନରବଳୀ, ହତ୍ୟା ଭଳି ଅନ୍ୟ ଅପରାଧିକ ମାମଲା ତାଙ୍କର ନାଁରେ ରହିଛି । ୨୦୧୩ରେ ଦୁଷ୍କର୍ମ ମାମଲାରେ ଫସିବା ପରେ ତାଙ୍କ ପାଇଁ ଖରାପ ଦିନ ଆରମ୍ଭ ହୋଇଯାଇଥିଲା ।
Powered by Froala Editor