ସନ୍ତୁର ସମ୍ରାଟ ପଣ୍ଡିତ ଶିବକୁମାର ଶର୍ମା ଆଉ ନାହାନ୍ତି
ଭାରତରେ ସନ୍ତୁର ବାଦନର କର୍ଣ୍ଣଧାର ପଣ୍ଡିତ ଶିବକୁମାର ଶର୍ମା ଆଉ ନାହାନ୍ତି। ୮୪ ବର୍ଷୀୟ ପଣ୍ଡିତ ଶର୍ମା ହୃଦଘାତ କାରଣରୁ ମଙ୍ଗଳବାର ସକାଳେ ଶେଷ ନିଃଶ୍ବାସ ତ୍ୟାଗ କରିଛନ୍ତି। ସେ ଗତ ୬ ମାସ ଧରି କିଡ୍ନୀ ସମ୍ବନ୍ଧୀୟ ସମସ୍ୟାରେ ପୀଡ଼ିତ ଥିଲେ ଏବଂ ଡାୟଲିସିସରେ ଥିଲେ।
ପଣ୍ଡିତ ଶିବ କୁମାର ଶର୍ମାଙ୍କର ସିନେମା ଜଗତ ପ୍ରତି ବଳିଷ୍ଠ ଅବଦାନ ରହିଛି। ବଲିଉଡ଼ରେ ‘ଶିବ-ହରି’ ନାମରେ ଲୋକପ୍ରିୟ ଶିବ କୁମାର ଶର୍ମା ଓ ହରି ପ୍ରସାଦ ଚୌରସିଆଙ୍କ ଯୋଡ଼ି ଅନେକ ସୁପରହିଟ୍ ଗୀତରେ ସଙ୍ଗୀତ ଦେଇଛନ୍ତି। ଏଥିମଧ୍ୟରୁ ସବୁଠାରୁ ଲୋକପ୍ରିୟ ଥିଲା ‘ଚାନ୍ଦ୍ନୀ’ ଚଳଚ୍ଚିତ୍ରର ‘ମେରେ ହାଥୋଁ ମେଁ ନୌ ନୌ ଚୁଡ଼ିଆଁ’, ଯେଉଁଥିରେ ଦିବଙ୍ଗତ ଅଭିନେତ୍ରୀ ଶ୍ରୀଦେବୀ ନୃତ୍ୟ କରିଥିଲେ।
ଶିବକୁମାର ୧୯୩୮ ମସିହା ଜାନୁଆରି ୧୩ ତାରିଖରେ ଜାମ୍ମୁରେ ଜନ୍ମଗ୍ରହଣ କରିଥିଲେ। ସେ ପାଞ୍ଚ ବର୍ଷ ବୟସରୁ କଣ୍ଠ ସଂଗୀତ ଓ ତାବ୍ଲା ଶିଖିବା ଆରମ୍ଭ କରିଥିଲେ। ତାଙ୍କୁ ଯେତେବେଳେ ୧୩ ବର୍ଷ ବୟସ ହୋଇଥିଲା ସେ ସନ୍ତୁର ଶିଖିବା ଆରମ୍ଭ କଲେ। ଏହାପରେ ୧୯୫୫ ମସିହାରେ ପ୍ରଥମେ ସନ୍ତୁର ସହ ମଞ୍ଚକୁ ଆସିଲେ । ଶ୍ମୀରର ଏକ ସ୍ଥାନୀୟ ବାଦ୍ୟଯନ୍ତ୍ର ଭାବେ ପରିଚିତ ସନ୍ତୁରକୁ ସେ ଅନ୍ତର୍ଜାତୀୟସ୍ତରରେ ପହଞ୍ଚାଇଛନ୍ତି। ଭାରତୀୟ ସଂଗୀତ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ଶିବକୁମାରଙ୍କୁ ୧୯୮୬ ମସିହାରେ ସଂଗୀତ ନାଟକ ଏକାଡେମି ପୁରସ୍କାର ପ୍ରଦାନ କରାଯାଇଥିଲା। ୧୯୯୧ ମସିହାରେ ତାଙ୍କୁ ପଦ୍ମଶ୍ରୀ ଏବଂ ୨୦୦୧ ମସିହାରେ ତାଙ୍କୁ ପଦ୍ମଭୂଷଣ ପୁରସ୍କାରରେ ଭୂଷିତ କରାଯାଇଥିଲା।
Powered by Froala Editor