କୋଇଲା ଦୁର୍ନୀତି ମାମଲା : ମମତା ବାନାର୍ଜୀଙ୍କ ପୁତୁରାବୋହୂଙ୍କ ନାଁରେ ୱାରେଣ୍ଟ ଜାରି
କୋଇଲା ସ୍ମଗଲିଂ ମାମଲାରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ପୁତୁରା ବୋହୂ ରୁଜିରାଙ୍କ ନାଁରେ ୱାରେଣ୍ଟ ଜାରି ହୋଇଛି । ରୁଜିରା ବାନାର୍ଜୀ ତଦନ୍ତରେ ଯୋଗ ଦେବାକୁ ଅଗ୍ରାହ୍ୟ କରିବା ସହ ସମନ୍ ତାରିଖ ଏଡ଼ାଉଛନ୍ତି ବୋଲି ପ୍ରବର୍ତ୍ତନ ନିର୍ଦେଶାଳୟ ଅଭିଯୋଗ କରିବା ପରେ ଅଦାଲତ ତାଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି। ଅବଶ୍ୟ ଏହି ଗିରଫ ପର୍ୱାନାରେ ତାଙ୍କୁ ଜାମିନ ମିଳିପାରିବ।
ରୁଜିରା ହେଉଛନ୍ତି ସାଂସଦ ଅଭିଷେକ ବାନାର୍ଜୀଙ୍କ ପତ୍ନୀ। ତାଙ୍କୁ କୋଇଲା ସ୍ମଗଲିଂ ମାମଲାରେ ଇଡି ଜେରା ପାଇଁ ନୋଟିସ କରିଥିଲେ ହେଁ ସେ ଏହାକୁ ବେଖାତିର କରି ଚାଲିଥିଲେ। ଏଥିପାଇଁ ତାଙ୍କ ନାଁରେ ଜାମିନ ଯୁକ୍ତ ୱାରେଣ୍ଟ ଜାରି କରାଯାଇଛି।
ସୂଚନାଯୋଗ୍ୟ, ବହୁ ଚର୍ଚ୍ଚିତ କୋଇଲା ଦୁର୍ନୀତି ଘଟଣାରେ ଉଭୟ ସିବିଆଇ ଓ ଇଡି ମିଳିତ ଭାବେ ତଦନ୍ତ କରୁଛନ୍ତି। ପଶ୍ଚିମବଙ୍ଗ ଅନ୍ତର୍ଗତ ଆସାନସୋଲ୍ ଚାରିପଟେ ଥିବା କୁନୁସ୍ତୋରିଆ ଏବଂ କାଜୋରା ଅଞ୍ଚଳରେ ଥିବା ‘ଇଷ୍ଟର୍ଣ୍ଣ କୋଲ୍ଫିଲ୍ଡ୍ସ୍ ଲିମିଟେଡ୍’ର ଖଣିଗୁଡ଼ିକରୁ କୋଟି କୋଟି ଟଙ୍କାର କୋଇଲା ଚୋରିର ଅଭିଯୋଗ ହୋଇଥିଲା।
ଏହି ମାମଲାରେ ୨୦୨୦ ନଭେମ୍ବରରେ ସିବିଆଇ ଫାଇଲ୍ କରିଥିବା ଏଫ୍ଆଇଆର୍ ଅନୁସାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଅପରାଧିକ ମାମଲା ରୁଜୁ କରିଛି। କୋଇଲା ଚୋରା ଚାଲାଣ ଘଟଣାରେ ସିବିଆଇ ପ୍ରଥମେ ପଶ୍ଚିମବଙ୍ଗର ପୁରୁଲିଆ, ବଙ୍କୁରା, ପଶ୍ଚିମବର୍ଦ୍ଧମାନ ଓ କୋଲକାତାର ୧୩ଟି ସ୍ଥାନରେ ରେଡ କରିଥିଲା। ଅମୀୟ ଷ୍ଟିଲ ପ୍ରାଃଲିଃ ପରିସରରେ ବି ସିବିଆଇ ଟିମ ଯାଞ୍ଚ କରିଥିଲା। ପୂରା କୋଇଲା ଚାଲାଣର କିଙ୍ଗ ପିନ୍ ହେଉଛି ଅନୁପ ମାନଝୀ। ତାଙ୍କ ଡେପୁଟି କୁହାଯାଉଥିବା ଜୟଦେବ ମଣ୍ଡଳଙ୍କ ଠିକଣାରେ ବି ସିବିଆଇ ଧରପଗଡ଼ କରିଥିଲା।
ଘଟଣାର ତଦନ୍ତ ବେଳେ ସିବିଆଇ ଅଭିଷେକ ବାନାର୍ଜୀଙ୍କ ପତ୍ନୀଙ୍କ ଭୂମିକା ବିଷୟରେ ଜାଣିବାକୁ ପାଇଥିଲା। ଏହି କାରଣରୁ ତାଙ୍କୁ ଜେରା କରିବାକୁ ସିବିଆଇ ନୋଟିସ୍ କରିଥିଲା।
Powered by Froala Editor