ସ୍କୁଲରେ ନାବାଳିକାଙ୍କ ଡ୍ରେସ ଚିରିଦେଲା ଦୁର୍ବୃତ୍ତ

ନୂଆଦିଲ୍ଲୀ : ସକାଳୁଆ ସ୍କୁଲ ଚାଲିଥିବା ବେଳେ ଦିଲ୍ଲୀରେ ଏକ ଅଭାବନୀୟ ଘଟଣା ଘଟିଛି । ସ୍କୁଲରେ ପଶି ଜଣେ ଦୁର୍ବୃତ୍ତ ନାବାଳିକାଙ୍କ ଡ୍ରେସ ଚିରିଦେଇଛି । ଖାଲି ସେତିକିନୁହେଁ ଛୋଟ ଝିଅମାନଙ୍କୁ ଅଶ୍ଳୀଳ କଥା କହିବା ସହ ସମସ୍ତଙ୍କ ସାମ୍ନାରେ କ୍ଲାସ ଭିତରେ ପରିଶ୍ରା ମଧ୍ୟ କରିଛି ।
ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ସ୍କୁଲରେ ପ୍ରାର୍ଥନା ସରିବା ପରେ ଚତୁର୍ଥ ଶ୍ରେଣୀର ପିଲାମାନେ ସ୍କୁଲ ଶିକ୍ଷକଙ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ଦୁର୍ବୃତ୍ତ ଶ୍ରେଣୀ ଗୃହରେ ପଶି ଆସି ଅମାନବୀୟ ଆଚରଣ କରିଥିଲା । ଦୁଇ ଜଣ ନାବାଳିକାଙ୍କ ଡ୍ରେସ ଫାଡ଼ି ଦେବା ସହ ଅସଭ୍ୟ ଭାଷା କହିଥିଲା । ପରେ ସେହି ଶ୍ରେଣୀରେ ପରିଶ୍ରା କରି ପଳାଇଥିଲା । ଯାହାକୁ ନେଇ ପିଲାଙ୍କ ମନରେ କୋକୁଆ ଭୟ ଖେଳି ଯାଇଥିଲା । ତେବେ ସ୍କୁଲ କର୍ତ୍ତୃପକ୍ଷ ଘଟଣାକୁ ଚାପିଦେବାକୁ ଉଦ୍ୟମ କରିଥିଲେ । କିନ୍ତୁ ପରେ ଦିଲ୍ଲୀ ମହିଳା କମିଶନ ଏକଥା ଜାଣିବା ପରେ କ୍ଷୋଭ ପ୍ରକାଶ କରିବା ସହ ତଦନ୍ତ ପାଇଁ ଦିଲ୍ଲୀ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ସ୍କୁଲରେ ସିସିଟିଭି କ୍ୟାମେରା ନଥିବାରୁ ଆଖପାଖ ଅଞ୍ଚଳର ସିସିଟିଭି ଯାଞ୍ଚ କରାଯାଉଛି । ସେହିପରି ପିଲାମାନଙ୍କ ସୂଚନା ଆଧାରରେ ସ୍କେଚ କରାଯାଇ ଅଭିଯୁକ୍ତକୁ ଖୋଜାଚାଲିଛି ।
Powered by Froala Editor