ବ୍ରଜରାଜନଗର ପାଇଁ ପ୍ରାର୍ଥୀ ଚୟନ ନେଇ ଏହା କହିଲେ ନିରଞ୍ଜନ

ଭୁବନେଶ୍ୱର:ବ୍ରଜରାଜନଗର ଉପନିର୍ବାଚନ ପାଇଁ ଏବେ ରାଜନୀତି ଜୋର ଧରିଛି । ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବା ସବୁ ଦଳ ଏବେ ତପôର । ତେବେ ଆସନ୍ତା ୮ ତାରିଖ ସୁଦ୍ଧା ପ୍ରାର୍ଥୀ ଚୟନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି । ଦଳ ପକ୍ଷରୁ ପ୍ରାର୍ଥୀ ହେବା ପାଇଁ ମୋଟ ୩ ଜଣ ପ୍ରାର୍ଥୀ ଆବେଦନ କରିଛନ୍ତି । ସେମାନେ ହେଲେ ପ୍ରମୋଦ ପ୍ରଧାନ, ଜୀବନ ସାର୍ଥକ ଦାସ ଓ ସୁବ୍ରତ ପ୍ରଧାନ ।
ତେବେ ସୁନ୍ଦରଗଡ଼, ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲା ସଭାପତିମାନଙ୍କୁ ନେଇ କମିଟି ହୋଇଛି । ସ୍ଥାନୀୟ ନେତା ଓ ଜଣେ ଉପସଭାପତିଙ୍କୁ ପଠାଯିବ । ସମସ୍ତଙ୍କ ସହ ଆଲୋଚନା କରାଯିବ । ଆଉ ୮ ତାରିଖ ସୁଦ୍ଧା ପ୍ରାର୍ଥୀ ଚୟନ କରାଯିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଛନ୍ତି ।
ପ୍ରକାଶ ଯେ, ବ୍ରଜରାଜନଗର ଉପନିର୍ବାଚନ ପାଇଁ ରିଟର୍ଣ୍ଣିଂ ଅଫିସର ତଥା ଉପଜିଲ୍ଲାପାଳଙ୍କ ପକ୍ଷରୁ ଏନେଇ ଆଜି ବିଜ୍ଞପ୍ତି ପ୍ରକାଶ ପାଇଛି। ଫଳରେ ଆଜିଠାରୁ ଆରମ୍ଭ ହେବ ନାମାଙ୍କନ ପ୍ରକ୍ରିୟା । ଆସନ୍ତା ୧୧ ତାରିଖ ପର୍ୟ୍ୟନ୍ତ ଆଶାୟୀମାନେ ନାମାଙ୍କନପତ୍ର ଦାଖଲ କରିପାରିବେ। ମେ’ ୧୨ରେ ନାମାଙ୍କନପତ୍ର ଯାଞ୍ଚ କରାଯିବ। ୧୭ ତାରିଖ ପର୍ୟ୍ୟନ୍ତ ପ୍ରାର୍ଥୀମାନେ ଚାହିଁଲେ ସେମାନଙ୍କ ନାମାଙ୍କନପତ୍ର ପ୍ରତ୍ୟାହାର କରିପାରିବେ। ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ହେଲେ ଏଥର ୨ଲକ୍ଷ ୧୪ ହଜାର ୨୬୧ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଗତ ନିର୍ବାଚନରେ ୨୫୭ଟି ବୁଥ୍ ଥିଲା। ତେବେ ଉପନିର୍ବାଚନରେ ଅଧିକ ୨୨ଟି ବୁଥ୍ ପ୍ରତିଷ୍ଠା ପାଇଁ ଜିଲ୍ଲା ପ୍ରଶାସନ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କୁ ପ୍ରସ୍ତାବ ଦେଇଛନ୍ତି। ମେ’ ୩୧ରେ ହେବ ବ୍ରଜରାଜନଗର ବିଧାନସଭା ଉପନିର୍ବାଚନ ପାଇଁ ଭୋଟ ହେବ।
ବିଜେଡି ବିଧାୟକ କିଶୋର ମହାନ୍ତିଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି । ଡିସେମ୍ବର ୩୦ରେ ଶ୍ରୀ ମହାନ୍ତିଙ୍କ ଅକାଳ ମୃତ୍ୟୁ ହୋଇଥିବାବେଳେ ମେ’ ୩୦ତାରିଖ ସୁଦ୍ଧା ୬ମାସ ପୂରଣ ହେଉଛି। ଇତିମଧ୍ୟରେ ପ୍ରାୟ ସାଢ଼େ ୪ମାସ ବିତିଯାଇଛି । ତେଣୁ ଏହି ଆସନ ପୂରଣ ପାଇଁ ଆଜି ପ୍ରକାଶ ପାଇଛି ବିଜ୍ଞପ୍ତି।
Powered by Froala Editor