ଲଜ୍ଜା: ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଥାନା ଅଧିକାରୀ କଲେ ବଳାତ୍କାର

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଲଳିତପୁରରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଗଣଦୁଷ୍କର୍ମ ପୀଡ଼ିତାଙ୍କୁ ଥାନା ଭିତରେ ବଳାତ୍କାର କରିଛନ୍ତି ଥାନା ଅଧିକାରୀ । ଏହି ଘଟଣା ପ୍ରଘଟ ହେବା ପରେ ଏବେ ସବୁ ମହଲରେ ନିନ୍ଦା କରାଯାଇଛି । ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି ହେଉଛି ।
ଏପ୍ରିଲ ୨୨ ତାରିଖରେ ଜଣେ ୧୩ ବର୍ଷୀୟ ନାବାଳିକାଙ୍କୁ ଚାରି ଜଣ ଯୁବକ ଅପହରଣ କରିନେଇ ଦୁଷ୍କର୍ମ କରିଥିଲେ । ପୀଡିତା କୌଣସି ପ୍ରକାରେ ଅଭିଯୁକ୍ତଙ୍କ କବଳରୁ ଖସି ଆସିଥିଲେ । ପରେ ସେ ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଥିଲେ । ହେଲେ ସେଠାରେ ଥାନା ଅଧିକାରୀ ସବୁ ସୀମା ଟପି ଯାଇଥିଲେ । ପୀଡ଼ିତାଙ୍କୁ ନ୍ୟାୟ ଦେବା ବଦଳରେ ତାଙ୍କୁ ବଳାତ୍କାର କରିଥିଲେ । ଏନେଇ ପୀଡିତା ଏସ୍ପିଙ୍କ ନିକଟରେ ଅଭିଯୋଗ କରିଛନ୍ତି । ଏହାପରେ ଘଟଣାକୁ ଗୁରୁତର ସହ ନେଇଛନ୍ତି ଏସ୍ପି । ସମ୍ପୃକ୍ତ ଥାନା ଅଧିକାରୀଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ।
ଏହି ମାମଲାରେ ଅଭିଯୁକ୍ତଙ୍କୁ ଗିରଫ କରିବା ପାଇଁ ଏକ ଟିମ୍ ଗଠନ ହୋଇଛି । ୬ ଜଣଙ୍କ ନାଁରେ ପୋକ୍ସ ଆକ୍ଟ ଅନୁଯାୟୀ ମାମଲା ରୁଜୁ କରାଯାଇଛି । ଲଳିତପୁର ଥାନା ଅଧିକାରୀ ତିଲକଧାରୀ ସରୋଜ ଘଟଣା ପରେ ଫେରାର ଥିବା ବେଳେ ତାଙ୍କୁ ନିଲମ୍ବିତ କରାଯାଇଛି । ୨୪ ଘଣ୍ଟା ଭିତରେ ମାମଲାର ରିପୋର୍ଟ ଦେବାକୁ ଡିଆଇଜି ନିର୍ଦ୍ଦେଶ ଦେଇଥିବା ଜଣାପଡ଼ିଛି ।
Powered by Froala Editor