ତରୁଣ କପୁର ପ୍ରଧାନମନ୍ତ୍ରୀଙ୍କ ନୂଆ ପରାମର୍ଶଦାତା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ପାଇଛନ୍ତି ପେଟ୍ରୋଲିୟମ ମନ୍ତ୍ରଣାଳୟର ପୂର୍ବତନ ସଚିବ ତରୁଣ କପୁର। ସୋମବାର ଦିନ ପେଟ୍ରୋଲିୟମ ମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ଏକ ଆଦେଶରେ ଏହି ସୂଚନା ଦିଆଯାଇଛି। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସଚିବ ପାହ୍ୟା ଅଧିକାରୀ ଭାବେ କାମ କରିବେ। ଦାୟିତ୍ୱ ନେବାର ୨ ବର୍ଷ ପର୍ଯ୍ୟନ୍ତ ତାଙ୍କୁ ଏହି ପଦରେ କାମ କରିବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ ଜାରି ବିଜ୍ଞପ୍ତିରେ କୁହାଯାଇଛି।
କପୁର ହେଉଛନ୍ତି ହିମାଚଳ ପ୍ରଦେଶର କ୍ୟାଡରର ୧୯୮୭ ବ୍ୟାଚ୍ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ। ସେ ନଭେମ୍ବର ୩୦, ୨୦୨୧ରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରାଳୟର ସଚିବ ପଦରୁ ଅବସର ନେଇଥିଲେ। ଏବେ ତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶଦାତା ଭାବେ ନିଯୁକ୍ତି ମିଳିଛି।
ଏହା ସହ ବରିଷ୍ଠ ଅମଲାତନ୍ତ୍ର ହରି ରଂଜନ ରାଓ ଏବଂ ଅତିଶ ଚନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଅତିରିକ୍ତ ସଚିବ ଭାବରେ ନିଯୁକ୍ତ କରାଯାଇଛି। ରାଓ ମଧ୍ୟପ୍ରଦେଶ କ୍ୟାଡରର ୧୯୯୪ ବ୍ୟାଚ୍ ଆଇଏସ୍ ଅଧିକାରୀ ହୋଇଥିବା ବେଳେ ବର୍ତ୍ତମାନ ସେ ଦୂରସଂଞ୍ଚାର ବିଭାଗ ଅଧିନରେ ଥିବା ୟୁନିଭର୍ସାଲ୍ ସର୍ଭିସେସ୍ ଓବଲିଗେସନ ଫଣ୍ଡର ପ୍ରଶାସକ ପଦରେ ଅଛନ୍ତି। ଅନ୍ୟପକ୍ଷରେ ଅତିଶ ଚନ୍ଦ୍ର ଜଣେ ବିହାର କ୍ୟାଡର ଅଧିକାରୀ ହୋଇଥିବା ବେଳେ ତାଙ୍କୁ ଫୁଡ୍ କର୍ପୋରେସନ୍ ଅଫ୍ ଇଣ୍ଡିଆର ଚେୟାରମ୍ୟାନ୍ ତଥା ପରିଚାଳନା ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରୁଛନ୍ତି। ସେ ମଧ୍ୟ ୧୯୯୪ ବ୍ୟାଚ୍ ଆଇଏଏସ୍ ଅଧିକାରୀ।
Powered by Froala Editor