ବିଧାୟକଙ୍କ ଗିରଫ ଘଟଣା: ବିଜେପିକୁ ଏଭଳି କହିଲା ବିଜେଡି

ଭୁବନେଶ୍ବର: ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ନିଜ ଦଳର ଜନପ୍ରତିନିଧିଙ୍କୁ ସୁରକ୍ଷା ଦେବା ଓଡିଶା ବିଜେପିର ଅଭ୍ୟାସରେ ପରିଣତ ହେଲାଣି । କିଛିଦିନ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ତଥା ମୟୂରଭଞ୍ଜ ଲୋକସଭା ସାଂସଦ ବିଶେଶ୍ବର ଟୁଡୁ ଜିଲ୍ଲା ଅଧିକାରୀଙ୍କୁ ଆକ୍ରମଣ କରିଥିଲେ । ଦେବଗଡ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ଦେବଗଡ ଜିଲ୍ଲା ତିଲେଇବଣି ବିଡିଓଙ୍କୁ ଆକ୍ରମଣ କରିଥିବା ଘଟଣାରୁ ଏହା ସ୍ପଷ୍ଟ ହୋଇଥିବା କହିଛନ୍ତି ବିଜେଡି ମୁଖପାତ୍ର ଲେନିନ ମହାନ୍ତି ।
ବିଜେପି ସାମ୍ବାଦିକ ସମ୍ମିଳନୀର ଜବାବ ଦେଇ ଲେଲିନ କହିଛନ୍ତି, ‘ସରକାରୀ କର୍ମଚାରୀଙ୍କୁ ଗାଳିଗୁଲଜ ଓ ଭୟଭୀତ କରିବା ଓଡିଶାର ବିଜେପି ଜନପ୍ରତିନିଧୀଙ୍କ ଅଭ୍ୟାସରେ ପରିଣତ ହୋଇଛି । ଏଭଳି ହିଂସାକୁ ନିନ୍ଦା କରିବା ପରିବର୍ତ୍ତେ ସେମାନଙ୍କୁ ସୁରକ୍ଷା ଦେବା ଓଡିଶା ବିଜେପିର ଏକ ଅଭ୍ୟାସରେ ପରିଣତ ହୋଇଛି । ଯେତେବେଳେ କେନ୍ଦ୍ରମନ୍ତ୍ରୀ ତଥା ବିଜେପିର ଲୋକସଭା ସାଂସଦ ସରକାରୀ କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ, ଆମେ ଆଶା କରିଥିଲୁ ଓଡିଶା ବିଜେପି ଏହାକୁ ନିନ୍ଦା କରିବ । କିନ୍ତୁ ଦୁର୍ଭାଗ୍ୟବଶତଃ ସେମାନେ ଲୋକସଭା ସାଂସଦଙ୍କୁ ସୁରକ୍ଷା ପ୍ରଦାନ କରିବା ସହିତ ଜନସାଧାରଣଙ୍କ ଦୃଷ୍ଟି ଅନ୍ୟଆଡେ ନେବାକୁ ଚେଷ୍ଟା କରିଥିଲେ । ଯେତେବେଳେ ବିଧାୟକ ସୁବାସ ପାଣିଗ୍ରାହୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି ରାଜ୍ୟ ବିଜେପି ତାଙ୍କ ହିଂସାତ୍ମକ ଆଚରଣକୁ ନିନ୍ଦା କରିବା ପରିବର୍ତ୍ତେ ତାଙ୍କୁ ଏବଂ ତାଙ୍କ କାର୍ୟ୍ୟକୁ ସୁରକ୍ଷା ଦେଉଛି ।’
Powered by Froala Editor