ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଅଘଟଣ: ଗୁମୁଟ ଉପରୁ ଡେଇଁ ପଡ଼ିଲେ କିନ୍ନର

ପୁରୀ: ଶ୍ରୀମନ୍ଦିର ସିଂହଦ୍ୱାର ସମ୍ମୁଖରେ ଆଜି ଏକ ଅଘଟଣ ଘଟିଛି । କଡ଼ା ସୁରକ୍ଷା ସତ୍ତ୍ୱେ ଜଣେ କିନ୍ନର ଗୁମୁଟ ଉପରକୁ ଚଢ଼ି ଯାଇଥିଲେ । ପରେ ସେ ତଳକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ମୃତକଙ୍କ ନାମ ବଳରାମ ରାଉତ । ଘର ନିମାପଡ଼ା ଅଞ୍ଚଳରେ ବୋଲି ଜଣାପଡ଼ିଛି । ପୁଲିସ୍ ମୃତଦେହ ଜବତ କରିବା ସହିତ ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ତେବେ ସେ କେଉଁ କାରଣରୁ ଆତ୍ମହତ୍ୟା କଲେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡ଼ିନି ।
ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, କିନ୍ନର ଜଣଙ୍କ ଆନନ୍ଦବଜାରକୁ ଲାଗିଥିବା ମେଘନାଥ ପାଚେରି କଡ଼େ କଡ଼େ ଆସି ସିଂହଦ୍ୱାର ଗୁମୁଟ ଉପରକୁ ଚଢ଼ି ଯାଇଥିଲେ । ସେଠାରେ ଉପସ୍ଥିତ ଥିବା ସୁରକ୍ଷାକର୍ମୀ ଓ ସେବାୟତମାନେ ରୁହ ରୁହ ବୋଲି ପାଟି କରିବାରୁ ସେ ତଳକୁ ଡେଇଁ ପଡ଼ିଥିଲେ । ୫୦ ଫୁଟ୍ ଉପରୁ ତଳକୁ ପଡ଼ିବାରୁ ତାଙ୍କ ମୁଣ୍ଡ ଓ ଆଖିରେ ଗଭୀର ଆଘାତ ଲାଗିଥିଲା । ତୁରନ୍ତ ତାଙ୍କୁ ଉଦ୍ଧାର କରାଯାଇ ପୁରୀ ସଦର ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।
ପ୍ରାୟ ୨ ଦିନ ହେବ ସେ ମନ୍ଦିର ଆଖପାଖରେ ବୁଲାବୁଲି କରୁଥିଲେ । କିଛି ଜଣ ତାଙ୍କୁ ମାନସିକ ଭାରସାମ୍ୟ ହରାଇଥିବା କହୁଛନ୍ତି । ତେବେ ସେ କେଉଁ ପରିସ୍ଥିତିରେ ପଡ଼ିଲେ ତାହା ସ୍ପଷ୍ଟ ହୋଇନି । ସିସିଟିଭି ଫୁଟେଜ୍ ଯାଞ୍ଚ କଲେ ପ୍ରକୃତ ଘଟଣା ଜଣାପଡ଼ିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।
Powered by Froala Editor