ପୁଣି ବଢ଼ିଲା ପେଟ୍ରୋଲ୍, ଡିଜେଲ ଦର
ନୂଆଦିଲ୍ଲୀ: ପେଟ୍ରୋଲ୍ ଓ ଡିଜେଲ୍ ଦର ପୁଣି ବୃଦ୍ଧି ହୋଇଛି । କ୍ରମାଗତ ଭାବେ ଦ୍ୱିତୀୟ ଦିନ ପାଇଁ ମୂଲ୍ୟ ବଢ଼ିଛି । ବୁଧବାର ତେଲ କମ୍ପାନିମାନେ ପେଟ୍ରୋଲ୍ ଲିଟର ପିଛା ୧୯ ପଇସା ଓ ଡିଜେଲ୍ ଲିଟର ପିଛା ୨୧ ପଇସା ବୃଦ୍ଧି କରିଛନ୍ତି । ମଙ୍ଗଳବାର ପେଟ୍ରୋଲ୍ ୧୫ ପଇସା ଏବଂ ଡିଜେଲ୍ ୧୬ ପଇସା ବୃଦ୍ଧି ପାଇଥିଲା ।
ବର୍ତ୍ତମାନ ଦିଲ୍ଲୀରେ ପେଟ୍ରୋଲ୍ ଲିଟର ପିଛା ୯୦.୭୪ ଟଙ୍କାରେ ପହଞ୍ଚି ଥିବା ବେଳେ ଡିଜେଲ୍ ଲିଟର ପିଛା ୮୧.୧୨ ଟଙ୍କା ଛୁଇଁଛି । ସେହିପରି ମୁମ୍ବାଇରେ ପେଟ୍ରୋଲ ଲିଟର ପିଛା ୯୭.୧୨ ଟଙ୍କା, ଡିଜେଲ ଲିଟର ପିଛା ୮୫.୧୯ ଟଙ୍କା ହୋଇଛି । ଚେନ୍ନାଇରେ ପେଟ୍ରୋଲ ୯୨.୭୦ ଟଙ୍କା ଏବଂ ଡିଜେଲ ୮୬.୦୯ ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି କୋଲକାତାରେ ପେଟ୍ରୋଲ ୯୦.୯୨ ଟଙ୍କା ଏବଂ ଡିଜେଲ ୮୩.୯୮ ଟଙ୍କାରେ ପହଞ୍ଚିଛି ।
ପାଖାପାଖି ୬୬ ଦିନ ପେଟ୍ରୋଲ୍ ଓ ଡିଜେଲ୍ ଦର ସ୍ଥିର ରହିଥିବା ବେଳେ ଏବେ କ୍ରମାଗତ ଭାବେ ଦୁଇଦିନ ଧରି ମୂଲ୍ୟ ବଢ଼ି ଚାଲିଛି । ଦେଶରେ କରୋନା କାୟା ବିସ୍ତାର କରି ଚାଲିଛି । ଯାହା ହଜାର ହଜାର ଲୋକଙ୍କୁ ବେକାରୀ କରି ଦେଉଛି । କାହାର ଚାକିରି ଚାଲି ଯାଉଛି ତ ଆଉ କିଏ ବ୍ୟବସାୟରେ କ୍ଷତି ସହୁଛି । ଯାହାକୁ ନେଇ ଏବେ ସମସ୍ତେ ଚିନ୍ତାରେ । ଏଭଳି ପରିସ୍ଥିତିରେ ତେଲ ଦର ବୃଦ୍ଧି ବୋଝ ଉପରେ ଲଳିତ ବିଡ଼ା ସଦୃଶ୍ୟ ହୋଇଛି । ଗରିବ ଓ ମଧ୍ୟବିତ୍ତ ପରିବାର ଲୋକଙ୍କୁ ଏହା ଖୁବ୍ ବାଧୁଛି ।
ଅନ୍ୟପଟେ କୁହାଯାଉଛି ଯେ ଚାରି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳରେ ବିଧାନସଭା ନିର୍ବାଚନ ଚାଲିଥିବାରୁ ତେଲ ଦର ବଢ଼ୁ ନଥିଲା । ନିର୍ବାଚନ ସରିବା କ୍ଷଣି ବର୍ତ୍ତମାନ କେନ୍ଦ୍ର ସରକାର ଜାଣିଶୁଣି ପେଟ୍ରୋଲ୍ ଓ ଡିଜେଲ୍ ମୂଲ୍ୟ ବୃଦ୍ଧି କରୁଛନ୍ତି ।
Powered by Froala Editor