ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ, ଆଗକୁ ଅସମ୍ଭାଳ ଗରମ

ଭୁବନେଶ୍ୱର: କେବଳ ଗରମ ନୁହେଁ, ଅସହ୍ୟ ଗୁଳୁଗୁଳିରେ ଜନଜୀବନ ଅସ୍ତବ୍ୟସ୍ତ । ଆଗକୁ ରାଜ୍ୟରେ ଅସମ୍ଭାଳ ଗରମ ହେବ। ରାଜ୍ୟର ଅଧିକାଂଶ ସ୍ଥାନରେ ତାତି ୩ରୁ ୫ ଡିଗ୍ରୀ ବଢ଼ିଯିବ । ରାଜଧାନୀରେ ପ୍ରବଳ ଗୁଳୁଗୁଳି ହୋଇପାରେ । ଆଞ୍ଚଳିକ ପାଣିପାଗ କେନ୍ଦ୍ର ଏଭଳି ପୂର୍ବାନୁମାନ କରିଛି । ଶୁକ୍ରବାର ରାଜଧାନୀ ତାପମାତ୍ରା ୪୦.୮ ଡିଗ୍ରୀ ରେକର୍ଡ କରାଯାଇଛି।
ରାଜ୍ୟରେ ଶନିବାରଠାରୁ ଗରମ ବଢିବ ।ଖୋର୍ଦ୍ଧା ସମେତ କେନ୍ଦ୍ରୀୟ ଉପକୂଳ ଓ ଉତ୍ତର ଉପକୂଳରେ ତାପମାତ୍ରା ବଢିବ । ଶନିବାରରୁ ସୋମବାର ଯାଏ ତାପମାତ୍ରା ୪୦ ଡିଗ୍ରୀରୁ ଅଧିକ ରହିବ। ରାଜ୍ୟକୁ ବହୁଥିବା ପଶ୍ଚିମା ଗରମ ପବନ ଉପକୂଳ ଯାଏ ସିଧା ପ୍ରବାହିତ ହେବ । ଉପକୂଳରେ ବହୁଥିବା ବଙ୍ଗୋପସାଗରୀୟ ଦକ୍ଷିଣା ପବନ ଦକ୍ଷିଣ ଉପକୂଳରେ ସୀମିତ ରହିବ ।
ଉଭୟ ଦକ୍ଷିଣ ଓ ଉତ୍ତର ଆଭ୍ୟନ୍ତରୀଣରେ ତାପମାତ୍ରା ଧୀରେ ଧୀରେ ବଢ଼ିବ । ୨୬ରୁ ମାସ ଶେଷ ଯାଏ ପ୍ରବଳ ଗରମ ହେବ । ୨୭ରୁ ୨୯ ତାରିଖ ଭିତରେ ଟିଟିଲାଗଡ଼, ସୋନପୁର, ବଲାଙ୍ଗୀର, ଅନୁଗୁଳ ଓ ତାଳଚେରର କିଛି ସ୍ଥାନରେ ୪୬ଡିଗ୍ରୀ ଟପିଯିିବ । ଉତ୍ତର ଆଭ୍ୟନ୍ତରରେ ମାସ ଶେଷ ଯାଏ ଏହା ବଢ଼ିବ ବୋଲି ସେ କହିଛନ୍ତି ।
ଶନିବାର ଉପକୂଳ ଓଡ଼ିଶା ସମେତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି, କଳାହାଣ୍ଡି ଓ ନବରଙ୍ଗପୁରରେ କାଳବୈଶାଖୀ ପ୍ରଭାବରେ ବର୍ଷା ହୋଇପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।
Powered by Froala Editor