ଅଫୁଟା କ୍ଷେପଣାସ୍ତ୍ର ଗରମ କରୁଥିବାବେଳେ ଫୁଟିଗଲା, ୨ ଗୁରୁତର

ଧାମରା ବଜାରରେ ଏକ ରାସାୟନିକ ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ୨ଜଣ ଆହତ ହୋଇଥିବା ବେଳେ ଆହତଙ୍କ ମଧ୍ୟରୁ ଜଣକ ଅବସ୍ଥା ସଂକଟାପର୍ଣ୍ଣ ଥିବା ଜଣାପଡିଛି। ଖବରରୁ ପ୍ରକାଶ, ଧାମରା ବଜାରଠାରେ ସତ୍ୟେନ କାମିଳିଆଙ୍କ ଏକ ଗହଣା ଦୋକାନ ଥିବା ବେଳେ ସେହି ଦୋକାନ ମଧ୍ୟରେ ସେ ବିଭିନ୍ନ ପ୍ରକାର ଭଙ୍ଗା ବ୍ୟାଟେରୀ, ଭଗ୍ନ କ୍ଷେପଣାସ୍ତ୍ର, କେମିକାଲ୍ ତଥା ଭଙ୍ଗା ଲୁହା ଲକଡ ଆଣି ବେପାର କରିଥାନ୍ତି।
ଆଜି ସନ୍ଧ୍ୟାରେ ଦୋକାନ ମଧ୍ୟରେ କଇଥଖୋଲା ବାସିନ୍ଦା ସେକ କଇମତ(୭୨) ଏବଂ କେନ୍ଦ୍ରାପଡା ଜିଲ୍ଲା ତାଳଚୁଆ ଗ୍ରାମର ହରିହର ରଣା(୩୫) ବିଭିନ୍ନ କେମିକାଲସରେ କାର୍ଯ୍ୟ କରୁଥିବାବେଳେ ସେଥି ମଧ୍ୟରେ ଥିବା ଏକ ଅଫୁଟା କ୍ଷେପଣାସ୍ତ୍ରର କିଛି ଅଂଶକୁ ଗରମ କରୁଥିବା ବେଳେ ସେଥି ମଧ୍ୟରୁ ବିସ୍ପୋରଣ ହୋଇଥିଲା । ଫଳରେ ହରିହର ରଣାଙ୍କ ଡାହାଣ ଗୋଡ ସଂପୂର୍ଣ୍ଣ ଭାଙ୍ଗି ନଷ୍ଟ ହୋଇଯାଇଥିବା ବେଳେ ସେକ କଇମତଙ୍କ ଶରୀର ସଂପୂର୍ଣ୍ଣ ପୋଡ଼ି ଯାଇଥିଲା। ପାଖରେ ଥିବା କିଛି ଦୋକାନୀ ମଧ୍ୟ ଆହତ ହୋଇଛନ୍ତି ।
ସ୍ଥାନୀୟ ଦୋକନୀ ସେକ କଇମତ ଏବଂ ହରିହର ରଣାକୁ ଉଦ୍ଧାର କରି ପ୍ରଥମେ ଧାମରା ମେଡିକାଲକୁ ସ୍ଥାନାନ୍ତରିତ କରିଥିବା ବେଳେ ସେମାନଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବାସୁଦେବପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି ।
Powered by Froala Editor