କାବୁଲରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ : ୨୫ ଜଣଙ୍କ ମୃତ୍ୟୁ, ୫୦ ଆହତ

ଆଫଗାନିସ୍ତାନର ରାଜଧାନୀ କାବୁଲରେ ଦୁଇଟି ଶକ୍ତିଶାଳୀ ବିସ୍ଫୋରଣ ହୋଇଛି। ଦୁଇଟି ବିସ୍ଫୋରଣ ପଶ୍ଚିମ କାବୁଲରେ ଘଟିଛି । ପ୍ରଥମ ବିସ୍ଫୋରଣ ମୁମତାଜ ବିଦ୍ୟାଳୟରେ ଘଟିଥିବାବେଳେ ଦ୍ୱିତୀୟ ବିସ୍ଫୋରଣ ଅନ୍ୟ ଏକ ବିଦ୍ୟାଳୟ ନିକଟରେ ଘଟିଥିଲା । ଏହି ବିସ୍ଫୋରଣ ଯୋଗୁଁ ୨୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୫୦ ଜଣ ଆହତ ହୋଇଛି । ଏଣୁ ମୃତ୍ୟୁସଂଖ୍ୟା ବଢିବାର ଆଶଙ୍କା କରାଯାଉଛି।
ଆତଙ୍କବାଦୀମାନେ ସକାଳେ ସ୍କୁଲକୁ ଟାର୍ଗେଟ କରିଥିବା ବେଳେ ଏଥିରୁ ଗୋଟିଏ ମୁମତାଜ ଏଜୁକେସନାଲ ସେଣ୍ଟର ନିକଟରେ ହୋଇଥିବା ବେଳେ ଦ୍ୱିତୀୟଟି ଅବ୍ଦୁଲ ରହୀମ ଶାହିଦ ହାଇସ୍କୁଲ ନିକଟରେ ହୋଇଥିଲା। ପିଲାମାନେ କ୍ଲାସ ସାରି ବାହାରେ ବୁଲୁଥିବା ବେଳେ ଆତଙ୍କବାଦୀମାନେ ଛାତ୍ରଙ୍କୁ ଟାର୍ଗେଟ କରିଥିଲେ। ଏହି ଆକ୍ରମଣ ଲାଗି ଏପର୍ଯ୍ୟନ୍ତ କୌଣସି ଆତଙ୍କବାଦ ସଙ୍ଗଠନ ନିଜକୁ ଦାୟି କରି ନାହାନ୍ତି। ତେବେ ଆଫଗାନିସ୍ତାନ ଗୃହମନ୍ତ୍ରାଳୟ ବିସ୍ଫୋରଣ ପୁଷ୍ଟି କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି।
ସୂଚନା ଥାଉ କି, ଚଳିତ ମାସ ପହିଲାରେ ବି କାବୁଲରେ ଏକ ବୋମା ବିସ୍ଫୋରଣ ହୋଇଥିଲା । ସେତେବେଳେ ଆକ୍ରମଣକାରୀ ବିଦ୍ୟାଳୟକୁ ଟାର୍ଗେଟ କରିନଥିଲେ। ଏହି ବିସ୍ଫୋରଣ ସେତେବେଳେ କାବୁଲ ମନି ଏକ୍ସଚେଞ୍ଜ ବଜାରରେ ହୋଇଥିଲା। ଏଥିରେ କେହି ମୃତ୍ୟବରଣ କରି ନଥିଲେ ମଧ୍ୟ ଦୁଇ ଜଣ ଏକ୍ସଚେଞ୍ଜର ଆହତ ହୋଇଥିବାର କୁହାଯାଇଥିଲା।
Powered by Froala Editor