ସ୍ୱର୍ଗଦ୍ୱାରରେ ହେବ ପ୍ରଫୁଲ୍ଲ କରଙ୍କ ଶେଷକୃତ୍ୟ ସମ୍ପନ୍ନ
ଭୁବନେଶ୍ୱର : ବିଶିଷ୍ଟ କଣ୍ଠଶିଳ୍ପୀ, ଗୀତିକାର, ସଂଗୀତ ନିର୍ଦ୍ଦେଶକ ପଦ୍ମଶ୍ରୀ ପ୍ରଫୁଲ୍ଲ କର ଆଉନାହାନ୍ତି । ରବିବାର ରାତି ୧୦ଟା ୩୦ରେ ସତ୍ୟନଗରସ୍ଥିତ ବାସଭବନରେ ହୃଦ୍ଘାତରେ ତାଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୮୩ ବର୍ଷ ହୋଇଥିଲା । ସୋମବାର ସନ୍ଧ୍ୟାରେ ପୁରୀ ସ୍ୱର୍ଗଦ୍ୱାରରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ପ୍ରଫୁଲ୍ଲଙ୍କ ବିୟୋଗରେ ଓଡ଼ିଆ ସଂଗୀତ ଜଗତରେ ଏକ ଯୁଗର ଅବସାନ ଘଟିଛି । କଳାକ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି ହୋଇଛି ବୋଲି କଣ୍ଠଶିଳ୍ପୀ ଓ ପ୍ରଶଂସକମାନେ କହିଛନ୍ତି ।
ଦୀର୍ଘ ଚାରି ଦଶନ୍ଧି ଧରି ଓଡ଼ିଆ ସଂଗୀତ ଜଗତର ସେ ଥିଲେ ବାଦ୍ଶାହା । ଚଳଚ୍ଚିତ୍ର ସଂଗୀତ, ଲଘୁ ସଂଗୀତ, ଭକ୍ତି ସଂଗୀତ ଏବଂ ଓଡ଼ିଶୀ ସଂଗୀତର ଅପ୍ରତିଦ୍ୱନ୍ଦ୍ୱୀ କଳାକାର ପ୍ରଫୁଲ୍ଲ ନିଜର ସୃଷ୍ଟି ଲାଗି ସମଗ୍ର ରାଜ୍ୟରେ ଘରେ ଘରେ ବେଶ୍ ପରିଚିତ ଥିଲେ ।
ସଂଗୀତ କ୍ଷେତ୍ରରେ ଅମୂଲ୍ୟ ଅବଦାନ ନିମନ୍ତେ ପଦ୍ମଶ୍ରୀ ଓ ଜୟଦେବ ସମ୍ମାନ ଲାଭ କରିଥିବା ଶ୍ରୀ କର ଲେଖାଲେଖିରେ ମଧ୍ୟ ନିଜସ୍ୱ ଛାପ ଓ ଚିହ୍ନ ଛାଡ଼ିଯାଇଛନ୍ତି । ଏକଦା ଗଣମାଧ୍ୟମରେ ପ୍ରକାଶିତ ତାଙ୍କ ସ୍ତମ୍ଭ ବେଶ ଲୋକପ୍ରିୟ ହୋଇଥିଲା । ଏପରିକି ସଂଗୀତକାର ଓ ସ୍ତମ୍ଭକାର ପ୍ରଫୁଲ୍ଲ କର ଏକା ବ୍ୟକ୍ତିତ୍ୱ କି ନୁହଁନ୍ତି ବୋଲି ପ୍ରଶ୍ନ ମଧ୍ୟ ମୁଣ୍ଡ ଟେକିଥିଲା । ସଂଗୀତ କ୍ଷେତ୍ରରେ ଶେଷଯାଏ ସକ୍ରିୟ ରହିଥିବା ଶ୍ରୀ କର ନବାଗତମାନଙ୍କୁ ପରାମର୍ଶ ଦେବାରେ ମଧ୍ୟ ଅତୁଳନୀୟ ଥିଲେ ବୋଲି ଅନେକ ସଂଗୀତ ଶିଳ୍ପୀ, ଗୀତିକାର, କଣ୍ଠଶିଳ୍ପୀ ମତ ଦିଅନ୍ତି । ଶ୍ରୀ କରଙ୍କ ବିୟୋଗ ଓଡ଼ିଆ ସଂଗୀତ ଦୁନିଆରେ, ଶାସ୍ତ୍ରୀୟ ଓ ଲଘୁ ସଂଗୀତ କ୍ଷେତ୍ରରେ ଏକ ଅପୂରଣୀୟ ଶୂନ୍ୟସ୍ଥାନ ସୃଷ୍ଟି କରିଛି ବୋଲି ବହୁ ବିଶିଷ୍ଟ ସଂଗୀତଶିଳ୍ପୀ ଓ ସଂଗୀତପ୍ରେମୀ ମତ ଦେଇଛନ୍ତି ।
Powered by Froala Editor