ଆଜି ବିଜୁ ବାବୁଙ୍କ ତିରୋଧାନ ଦିବସ

ଭୁବନେଶ୍ୱର: ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ତିରୋଧାନ ଦିବସ । ଏହି ଦିନକୁ ନିରାଡ଼ମ୍ୱର ଭାବେ ପାଳନ କରିବ ବିଜେଡି । ବିଜୁବାବୁଙ୍କ ଶ୍ରାଦ୍ଧ ଦିବସରେ ଓଡ଼ିଶାବାସୀଙ୍କ ସେବାରେ ନିଜକୁ ଉତ୍ସର୍ଗ କରିବା ପାଇଁ ସଂକଳ୍ପବଦ୍ଧ ହେବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ନିବେଦନ କରିଛନ୍ତି ।
ଆଜି ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧ ଦିବସ । ଏହି ପୁଣ୍ୟତିଥିରେ ରାଜ୍ୟବାସୀଙ୍କ ସେବା ଉଦ୍ଦେଶ୍ୟରେ ନିଜକୁ ଉତ୍ସର୍ଗ କରିବା ପାଇଁ ଦଳୀୟ କର୍ମୀ ଓ ନେତା ସଂକଳ୍ପ ନିଅନ୍ତୁ ବୋଲି ମୁଖ୍ୟମନ୍ତ୍ରୀ ସମସ୍ତଙ୍କୁ ନିବେଦନ କରିଛନ୍ତି । ଏହା ହିଁ ହେବ ବିଜୁ ବାବୁଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି । ବିଜୁ ବାବୁ ସାରା ଜୀବନ ଜନସେବାକୁ ସର୍ବାଧିକ ଗୁରୁତ୍ୱ ଦେଇଥିଲେ । ସେଥିପାଇଁ ତାଙ୍କ ତିରୋଧାନ ଦିବସରେ ରାଜ୍ୟବାସୀଙ୍କ ପ୍ରତି ବିଜେଡିର ସାମାଜିକ ଦାୟିତ୍ୱ ଓ ପ୍ରତିବଦ୍ଧତା ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲା ଓ ସମସ୍ତ ନିର୍ବାଚନ ମଣ୍ଡଳୀରେ ‘ଓଡ଼ିଶା ମୋ ପରିବାର’ ପକ୍ଷରୁ ଜୀବନବିନ୍ଦୁ କାର୍ୟ୍ୟକ୍ରମ ଜରିଆରେ ରକ୍ତଦାନ ଶିବିର ଆୟୋଜନ କରାଯିବ । ଏହି ରକ୍ତଦାନ କାର୍ୟ୍ୟକ୍ରମ ୧୫ ଦିନ ଧରି ଚାଲିବ ।
ଏହି ଅବସରରେ ପ୍ରତ୍ୟେକ ନିର୍ବାଚନମଣ୍ଡଳୀରେ ସକାଳ ୬ଟା ୩୦ରେ ତିଳତର୍ପଣ, ସକାଳ ୭ଟା ୩୦ରେ ପ୍ରଭାତଫେରୀ, ସମୂହ ସଫେଇ ଅଭିଯାନ, ସକାଳ ୮ଟା ୩୦ରେ ବିଜୁ ବାବୁଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ, ସ୍ମୃତିସଭା ଓ ସନ୍ଧ୍ୟା ୫ଟାରେ ଦୀପ ଦାନ ସହ ସମୂହ ସଂକଳ୍ପ ନେବାକୁ ବିଜେଡି ପକ୍ଷରୁ କାର୍ୟ୍ୟକ୍ରମ ଧାର୍ୟ୍ୟ କରାଯାଇଛି ।
Powered by Froala Editor