ଉତ୍ତରପ୍ରଦେଶରେ ଚାଞ୍ଚଲ୍ୟ: ପରିବାରର ୫ ସଦସ୍ୟଙ୍କୁ ଗଳାକାଟି ହତ୍ୟା

ଉତ୍ତରପ୍ରଦେଶ: ବାପା-ମା’ ସମେତ ୩ ସନ୍ତାନଙ୍କୁ ବିଭତ୍ସ୍ୟ ଭାବେ ଗଳାକାଟି ହତ୍ୟା । ଏଭଳି ଏକ ଚାଞ୍ଚଲ୍ୟକର ଘଟଣା ଘଟିଛି ଉତ୍ତରପ୍ରଦେଶର ପ୍ରୟାଗରାଜର ଖାଗଲପୁର ଗାଁରେ । ପୁଲିସ୍ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ନିମନ୍ତେ ପଠାଇଛି । ଏନେଇ ଏକ ମାମଲା ରୁଜୁ କରି ଆରମ୍ଭ କରିଛି ତଦନ୍ତ । କେଉଁ କାରଣରୁ ଦୁର୍ବୃତ୍ତମାନେ ଏଭଳି କାଣ୍ଡ ଭିଆଇଛନ୍ତି ତାହା ଏ ପର୍ଯ୍ୟନ୍ତ ଜଣାପଡ଼ିନି । ପୂର୍ବ ଶତ୍ରୁତା କିମ୍ବା କିଛି ବଡ଼ ଧରଣର ଷଡ଼ଯନ୍ତ୍ର ଏହା ପଛରେ ଥିବା ପୁଲିସ୍ ଅନୁମାନ କରୁଛି । ସାଇଣ୍ଟିଫିକ୍ ଟିମ୍ ସହାୟତାରେ ବିଭିନ୍ନ ଦିଗରୁ ତଦନ୍ତ କରାଯାଉଛି ।
ମୃତକମାନେ ହେଲେ ରାହୁଲ ତିୱାରୀ (୪୨), ୩୮ ବର୍ଷୀୟ ତାଙ୍କ ପତ୍ନୀ ପ୍ରୀତି, ଝିଅ ମାହି ଓ ଦୁଇ ପୁଅ ପିହୁ ଏବଂ ପୋହୁ । ରାହୁଲଙ୍କ ନିଜ ଘର କୌଶମ୍ବୀରେ । ଖାଗଲପୁରରେ ସେ ଭଡ଼ାରେ ରହୁଥିଲେ । ଆଜି ସକାଳୁ ପଡ଼ୋଶୀଙ୍କ ଠାରୁ ହତ୍ୟାର ସୁରାକ୍ ପୁଲିସ୍ ପାଇଥିଲା । ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ରୁମ୍ ଭିତରୁ ମା’, ଝିଅ ଓ ଦୁଇ ପୁଅଙ୍କ ମୃତଦେହ ଜବତ କରାଯାଇଛି । ସମସ୍ତଙ୍କୁ ଗଳାକାଟି ହତ୍ୟା କରାଯାଇଛି । ରାହୁଲଙ୍କ ମୃତଦେହ ଝୁଲନ୍ତା ଅବସ୍ଥାରେ ଗାଧୁଆ ଘରୁ ମିଳିଛି । ମାତ୍ର ତାଙ୍କର ବେକରେ ବି କଟା ଚିହ୍ନ ରହିଛି । ଏହି ଘଟଣାକୁ ପୁଲିସ୍ ଗୁରୁତର ସହ ନେଇଛି । ତଦନ୍ତ ଜାରି ରହିଛି । ଖୁବ୍ଶୀଘ୍ର ଘଟଣା ଉପରୁ ପରଦା ହଟିବ ପ୍ରୟାଗରାଜ ପୁଲିସ୍ ପକ୍ଷରୁ ସୂଚନା ଦିଆଯାଇଛି ।
Powered by Froala Editor