ଅସ୍ତ୍ରଶସ୍ତ୍ର ଛାଡି ଆତ୍ମସମର୍ପଣ କଲେ ୧୦୨୬ ୟୁକ୍ରେନୀ ଯବାନ
ୟୁକ୍ରେନ୍ ଉପରେ ରୁଷ ଆକ୍ରମଣ ଜାରି ରଖିଛି। ଘମାଘୋଟ୍ ଯୁଦ୍ଧ ମଧ୍ୟରେ ବନ୍ଦର ସହର ମାରିୟୁପୁଲକୁ ଦଖଲ କରିନେଇଛି ରୁଷ। ୟୁକ୍ରେନ ସେନା ମଧ୍ୟ ମୁହଁତୋଡ଼ ଜବାବ ଦେଇ ପରାସ୍ତ ହୋଇଛି। ଯୁଦ୍ଧ ଭିତରେ ୟୁକ୍ରେନର ପୂରା ବ୍ରିଗେଡ ଆତ୍ମସମର୍ପଣ କରିଥିବା ରୁଷ ଦାବି କରିଛି । ଏହି ଆତ୍ମସମର୍ପଣରେ ୧୦୨୬ ୟୁକ୍ରେନୀ ଯବାନ ଅସ୍ତ୍ରଶସ୍ତ୍ର ଛାଡିଛନ୍ତି । ଏମାନଙ୍କ ମଧ୍ୟରେ ୧୬୨ ୟୁକ୍ରେନୀ ଅଧିକାରୀ ଅଛନ୍ତି । ତେବେ ଆତ୍ମସମର୍ପଣ ବିଷୟରେ ୟୁକ୍ରେନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ପାଖରେ ଖବର ନଥିବା କୁହାଯାଇଛି। ମାରିୟୁପୁଲ ମେୟର କହିଛନ୍ତି ଯେ, ଏବେ ବି ଲକ୍ଷେରୁ ଅଧିକ ଲୋକ ଯୁଦ୍ଧଗସ୍ତ ସହରରେ ଫସି ରହିଛନ୍ତି।
ରୁଷ ପକ୍ଷରୁ କୁହାଯାଇଛି, ଡୋନବାସର ବିଦ୍ରୋହୀଙ୍କ ସହ ମିଶି ରୁଷ ଯେଉଁ ଘେରାବନ୍ଦୀ କରିଥିଲା, ସେଥିରେ ବଡ ଧରଣର ସଫଳତା ମିଳିଛି । ମୁହାଁମୁହିଁ ଲଢେଇ ପରେ ମାରିୟୁପୋଲର ୯୫ ପ୍ରତିଶତ ରୁଷ ନିୟନ୍ତ୍ରଣକୁ ନେଇ ସାରିଛି ।
ୟୁକ୍ରେନ୍ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କି ଇଷ୍ଟୋନିଆ ସଂସଦକୁ ଉଦବୋଧନ ଦେଇ କହିଛନ୍ତି ଯେ, ରୁଷ ୟୁକ୍ରେନ୍ ଉପରେ ଫସ୍ଫରସ୍ ବୋମା ନିକ୍ଷେପ କରୁଛି।
ସାଧାରଣ ଲୋକଙ୍କୁ ହତ୍ୟା କରି ମସ୍କୋ ଆତଙ୍କବାଦ କାର୍ଯ୍ୟକଳାପ ଚଳାଇଛି। ଅନ୍ୟପଟେ ରୁଷ ରାଷ୍ଟପ୍ରତି ଭ୍ଲାଡିମିରି ପୁଟିନ୍ ସର୍ବସାଧାରଣକୁ ସମ୍ବୋଧନ କରି କହିଛନ୍ତି ଯେ, ଏକ ବିଶେଷ କାରଣ ପାଇଁ ୟୁକ୍ରେନ୍ ଉପରେ ଆକ୍ରମଣ କରାଯାଇଛି। ସେହିପରି ଉଭୟ ଦେଶ ମଧ୍ୟରେ ଶାନ୍ତି ଆଲୋଚନା ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
Powered by Froala Editor