ଆଜିଠୁ ଦେୟଯୁକ୍ତ ବୁଷ୍ଟର ପାନ
ନୂଆଦିଲ୍ଲୀ : ଦେଶରେ କରୋନା ଟିକାକରଣକୁ ବ୍ୟାପକ କରିବା ପାଇଁ ସରକାର ଏକ ବଡ଼ ପଦକ୍ଷେପ ନେଇଛନ୍ତି ।ରବିବାର ଠାରୁ ଘରୋଇ ଡାକ୍ତରଖାନାରେ ୧୮ ବର୍ଷରୁ ଊର୍ଦ୍ଧ୍ବ ସମସ୍ତ ଯୋଗ୍ୟ ବ୍ୟକ୍ତି କରୋନା ଟିକାର ପ୍ରତିଷେଧକ ପାନ ବା ବୁଷ୍ଟର ପାନ ନେଇପାରିବେ। ଏ ସମ୍ପର୍କରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ଦିଆଯାଇଛି। ସୂଚନା ଅନୁଯାୟୀ ସାବାଳକଙ୍କ ପାଇଁ ବୁଷ୍ଟର ପାନ କେବଳ ଘରୋଇ ଡାକ୍ତରଖାନାରେ ଉପଲବ୍ଧ ହେବ। ଏଥିପାଇଁ ହିତାଧିକାରୀଙ୍କୁ ଟିକାର ମୂଲ୍ୟ ଦେବାକୁ ପଡିବ । ଟିକା ମୂଲ୍ୟ ଉପରେ ହିତାଧିକାରୀଙ୍କୁ ଟିକସ ଓ ଘରୋଇ ଡାକ୍ତରଖାନାଗୁଡିକ ସେମାନଙ୍କ ସେବା ନିମନ୍ତେ ଅତିରିକ୍ତ ଦେୟ ଦେବାକୁ ପଡିବ। ଦ୍ବିତୀୟ ପାନ ଟିକା ନେବାର ୯ ମାସ ବା ୩୯ ସପ୍ତାହ ପରେ ଜଣେ ବୁଷ୍ଟର ପାନ ନେବାକୁ ଯୋଗ୍ୟ ବିବେଚିତ ହେବେ। ସେହିପରି ଯେଉଁ ହିତାଧିକାରୀମାନେ ପ୍ରଥମ ଓ ଦ୍ବିତୀୟ ପାନରେ କୋଭିସିଲ୍ଡ ଟିକା ନେଇଥିବେ ସେମାନେ ବୁଷ୍ଟର ପାନରେ କୋଭିସିଲ୍ଡ ଟିକା ନେବେ। ସେହିପରି ଯେଉଁମାନେ କୋଭାକ୍ସିନ ଟିକା ନେଇଥିବେ ସେମାନଙ୍କୁ କୋଭାକ୍ସିନ ଟିକା ଦିଆଯିବ। ଘରୋଇ ଡାକ୍ତରଖାନାଗୁଡିକ ଭିନ୍ନ ଭିନ୍ନ ଟିକା ପାଇଁ ଭିନ୍ନ ଭିନ୍ନ ଦର ଧାର୍ୟ୍ୟ କରିବେ। ସରକାରଙ୍କ ଘୋଷଣା ଅନୁଯାୟୀ ପ୍ରଥମ ଓ ଦ୍ବିତୀୟ ପାନ ଟିକା ସରକାରୀ ଡାକ୍ତରଖାନାରେ ପୂର୍ବ ପରି ମାଗଣାରେ ଉପଲବ୍ଧ ହେବ। ସେହିପରି ୬୦ବର୍ଷରୁ ଊର୍ଦ୍ଧ୍ବ ବୟସ୍କ, ସ୍ବାସ୍ଥ୍ୟ କର୍ମଚାରୀ, ସମ୍ମୁଖ ଯୋଦ୍ଧାଙ୍କ ନିମନ୍ତେ ବୁଷ୍ଟର ପାନ ସରକାରୀ ଡାକ୍ତରଖାନାରେ ମାଗଣାରେ ଉପଲବ୍ଧ ହେବ।
Powered by Froala Editor