ସାମ୍ବାଦିକଙ୍କୁ ବେଡ଼ି ଘଟଣା: ଓଏଚଆରସିଙ୍କ ହସ୍ତକ୍ଷେପ
ଭୁବନେଶ୍ୱର: ନୀଳଗିରିର ଜନୈକ ସାମ୍ବାଦିକଙ୍କୁ ବେଡ଼ି ଘଟଣାରେ ଏକ ବଡ଼ ଖବର ସାମନାକୁ ଆସିଛି । ତାହା ହେଲା ଏହି ମାମଲାରେ ରାଜ୍ୟ ମାନବାଧିକାର କମିଶନ ନିଜ ଆଡ଼ୁ ହସ୍ତକ୍ଷେପ କରିଛନ୍ତି । ଏଥିରେ ହସ୍ତକ୍ଷେପ କରି ରାଜ୍ୟ ମାନବାଧିକାର କମିଶନ(ଓଏଚଆରସି) ପୂର୍ବାଞ୍ଚଳ ଆଇଜିଙ୍କୁ ଅନୁଧ୍ୟାନ କରି ରିପୋର୍ଟ କରିବାକୁ ନିଦେ୍ର୍ଧଶ ଦେଇଛନ୍ତି । କେଉଁ ପରିସ୍ଥିତିରେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପଡ଼ିଲା ତାହା ଜଣାଇବାକୁ ଓଏଚଆରସି ନିଦେ୍ର୍ଧଶ ଦେଇଛନ୍ତି । ଏନେଇ ଓଏଚଆରସି ପୂର୍ବାଞ୍ଚଳ ଆଇଜିଙ୍କୁ ୧୫ ଦିନ ସମୟ ଦେଇଛନ୍ତି ।
ପ୍ରକାଶଯେ, ଜଣେ ହୋମ୍ଗାର୍ଡଙ୍କୁ ମାରପିଟ କରିଥିବା ଅଭିଯୋଗରେ ଗିରଫ ହୋଇଥିବା ଜଣେ ସାମ୍ବାଦିକଙ୍କ ଗୋଡ଼ରେ ବେଡ଼ି ପକାଇଥିଲା ପୁଲିସ୍। ବାଲେଶ୍ୱର ଜିଲ୍ଲାରେ ଏମିତି ଏକ ଘଟଣା ଘଟିଥିବା ବେଳେ ଏସ୍ପିଙ୍କ ନିର୍ଦ୍ଦେଶକ୍ରମେ ଜଣେ ଡିଏସ୍ପି ଘଟଣାର ଯାଞ୍ଚ କରିବା ସହିତ ଉକ୍ତ ସାମ୍ବାଦିକଙ୍କ ଗୋଡ଼ରୁ ବେଡ଼ି ଖୋଲି ଦେଇଥିଲେ। ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରାଯାଉଛି ବୋଲି ନୀଳଗିରି ଏସ୍ଡିପିଓ କହିଥିଲେ।
ଗିରଫ ସାମ୍ବାଦିକଙ୍କ ନାଁ ଲୋକନାଥ ଦଳେଇ। ତାଙ୍କୁ ନୀଳଗିରି ପୁଲିସ୍ ଗିରଫ କରିଥିଲା। ଅସୁସ୍ଥ ଅନୁଭବ କରିବାକୁ ପୁଲିସ୍ ତାଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରିଥିଲା। କିନ୍ତୁ ଆତାଙ୍କୁ ଜଗିଥିବା ପୁଲିସ୍ କର୍ମଚାରୀମାନେ ତାଙ୍କ ଗୋଡ଼ରେ ବେଡ଼ି (ହ୍ୟାଣ୍ଡକଫର ଗୋଟିଏ ପଟକୁ ତାଙ୍କ ଗୋଡ଼ରେ ପକାଇ ଅନ୍ୟ ପଟକୁ ମେଡିକାଲ୍ର ଏକ ବେଡ୍ରେ ବାନ୍ଧି ଦେଇଥିଲେ) ପକାଇ ଦେଇଥିଲେ।
ଯେଉଁ ପୁଲିସ୍ କର୍ମଚାରୀମାନେ ତାଙ୍କ ଗୋଡ଼ରେ ହ୍ୟାଣ୍ଡକଫ୍ ପକାଇଥିଲେ ଲୋକନାଥ ସେମାନଙ୍କୁ ପଚାରିଥିଲେ ଯେ କାହା ନିର୍ଦ୍ଦେଶରେ ସେମାନେ ଏପରି କରୁଛନ୍ତି। ସେମାନେ ପ୍ରଥମେ ବଡ଼ ସାର୍ କହିଛନ୍ତି ବୋଲି କହିଥିଲେ। ପରେ ନୀଳଗିରି ଆଇଆଇସି ମ୍ୟାଡାମ୍ଙ୍କ ନିର୍ଦ୍ଦେଶରେ ଏପରି କରିଥିବା ସେମାନେ କହିଥିଲେ। ଅନ୍ୟପକ୍ଷରେ ନୀଳଗିରି ଏସ୍ଡିପିଓ କହିଥିଲେ ଯେ ଉପର ସ୍ତରରୁ ଏମିତି କୌଣସି ନିର୍ଦ୍ଦେଶ ଆସି ନଥିଲା। ସେହିପରି ନୀଳଗିରି ଆଇଆଇସି କହିଛନ୍ତି ଯେ ତାଙ୍କ ପକ୍ଷରୁ ଏଭଳି କୌଣସି ନିର୍ଦ୍ଦେଶ ଦିଆଯାଇ ନାହିଁ।
Powered by Froala Editor