ଆତଙ୍କବାଦୀଙ୍କ ଆକ୍ରମଣ, ଜଣେ ସିଆରପିଏଫ ଯବାନ ସହିଦ
ଶ୍ରୀନଗରରେ ଆଜି ଆତଙ୍କବାଦୀଙ୍କ ଆକ୍ରମଣରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିବା ଜଣାପଡ଼ିଛି। ସେହିପରି ଅନ୍ୟ ଜଣେ ଆହତ ହୋଇଛନ୍ତି ବୋଲି ପୁଲିସ କହିଛି। ତାଙ୍କୁ ଏସଏମଏଚଏସ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲୱାମାରେ ଦୁଇ ଜଣ ବିହାରୀ ଶ୍ରମିକଙ୍କୁ ଆକ୍ରମଣ କରାଯିବାର କିଛି ଘଣ୍ଟା ପରେ ଏଭଳି ଘଟଣା ଘଟିଛି। ଆକ୍ରମଣ ପରେ ଆତଙ୍କବାଦୀମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ଜଣାପଡ଼ିଛି। ଏବେ ଘଟଣା ଘଟିଥିବା ଅଞ୍ଚଳକୁ ଘେରାଉ କରାଯାଇ ସର୍ଚ୍ଚ ଅପରେସନ ଆରମ୍ଭ କରିଛି ସେନା।
ଆଜି ପୁଲୱାମାର ଲାଜୁରାରେ ସୋମବାର ଦ୍ୱିପ୍ରହରେ ଆତଙ୍କବାଦୀମାନେ ପଟଲେଶ୍ୱର କୁମାର ଓ ଜାକି ଚୌଧୁରୀଙ୍କୁ ଗୁଳି କରି ହତ୍ୟା କରିଥିଲେ । ଏହାର କିଛି ଘଣ୍ଟା ପରେ ଏ ଘଟଣା ଘଟିଛି ।
ତେବେ ଗତକାଲି ସୁରକ୍ଷା ବାହିନୀ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରୁ ୪ ଜଣ ଲସ୍କର-ଏ-ତୋଏବା ସହଯୋଗୀଙ୍କୁ ଗିରଫ କରିଥିଲେ। ବାନ୍ଦିପୋରା ପୁଲିସ ଦୁଇଟି ଆତଙ୍କବାଦୀ ଆଡ୍ଡାର ପର୍ଦ୍ଦାଫାଶ କରି ନିଷିଦ୍ଧ ସଂଗଠନ ଲସ୍କର-ଏ-ତୋଏବାର ଚାରି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିଲା। ପୁଲିସ କହିଥିଲା ଯେ ଅଭିଯୁକ୍ତମାନେ ଜିଲ୍ଲାରେ ଆତଙ୍କବାଦୀଙ୍କ ପାଇଁ ଲଜିଷ୍ଟିକ୍ ଏବଂ ପରିବହନ ସମନ୍ଵୟ ରକ୍ଷା କରୁଥିଲେ।
Powered by Froala Editor