ଆମ ଓଡିଶା: ଯେଉଁଠି ପେଟକଥା ବୁଝେ ପଖାଳ କଂସା
ଭୁବନେଶ୍ବର: ଯେଉଁଠି ଶୁଭ ଶଙ୍ଖରେ ହୁଏ ସକାଳ ଆଉ ସଞ୍ଜବତୀରେ ସନ୍ଧ୍ୟା । ଯେଉଁଠି କୋଟି କୋଟି ଲୋକଙ୍କ ମଉଡମଣି ମହାପ୍ରଭୁ ଜଗନ୍ନାଥଙ୍କ ଧାମ ଅଛି ଯେଉଁଠି ସଂସ୍କୃତି ପରମ୍ପରା ରହିଛି ଆଉ ଯାହାର ଇତିହାସ ପୃଷ୍ଠା ଓଲଟାଇଲେ ନିଜକୁ ଗର୍ବିତ ଲାଗେ ସେଇଟି ଆମ ଓଡିଶା । ଯେଉଁଠି ପେଟକଥା ବୁଝେ ପଖାଳ କଂସା ଯାହା ମାଟି ଉପରେ ପଖାଳ ଗଣ୍ଡାଏ ଖାଇଲେ ଶାନ୍ତି ମିଳେ ଯାହାର ଭାଷା ମିଠା ସେହି ଆମ ପ୍ରିୟ ଓଡିଶା । ନଅଙ୍କ ଦୁର୍ଭିକ୍ଷଠୁ ନେଇ ମହାବାତ୍ୟା ସବୁ ଦୁଃଖକୁ ସହିଛି ଆଉ ମୁକାବିଲା ବି କରିଛି ଏ ମାଟି ।
ଆଜି ହେଉଛି ୮୬ ତମ ଉତ୍କଳ ଦିବସ । ୧୯୩୬ ମସିହା ଆଜିର ଦିନରେ ନୂଆ ପରିଚୟ ପାଇଥିଲା ଓଡିଶା । ନବଗଠିତ ରାଜ୍ୟ ଭାବେ ଦେଶର ମାନଚିତ୍ରରେ ଶୋଭା ପାଇଥିଲା ଉତ୍କଳ ପ୍ରଦେଶ । ଏହି ସ୍ମୃତିରେ ପ୍ରତିବର୍ଷ ଆଜିର ଦିନକୁ ଉତ୍କଳ ଦିବସ ରୂପେ ପାଳନ କରାଯାଇଥାଏ । ଭାଷା ଭିତ୍ତିରେ ରାଜ୍ୟଗଠନ ହେବାରେ ଓଡିଶା ଭାରତର ପ୍ରଥମ ରାଜ୍ୟ । ଚଳିତ ବର୍ଷ ମହା ଆଡମ୍ବରରେ ପାଳନ ହେବ ଉତ୍କଳ ଦିବସ । ସାରା ରାଜ୍ୟରେ ସାମୂହିକ ଭାବେ ବନ୍ଦେ ଉତ୍କଳ ଜନନୀ ଗାନ କରିବେ ରାଜ୍ୟବାସୀ ।
ଓଡିଶାକୁ ଏକ ସ୍ବତନ୍ତ୍ର ପ୍ରଦେଶ ଭାବେ ଗଠନ କିରବା ପାଇଁ ମହାପୁରୁଷମାନେ ବଳିଦାନ ଦେଇଥିଲେ । ହେଲେ ଆମ ଇତିହାସକୁ ଅନେକ ଯୁବପିଢି ଭୁଲିବାକୁ ବସିଲେଣି । ପାଶ୍ଚାତ୍ୟ ସଂସ୍କୃତି ଆପଣେଇବାକୁ ଲାଗିଲେଣି । ଉତ୍କଳ ଦିବସକୁ ଏପ୍ରିଲ ଫୁଲ କହି ମନାଉଛନ୍ତି । ପ୍ରତିଟି ଓଡିଆ ଭାବେ ଆମେ ଗର୍ବ ଅନୁଭବ କରୁ । ଏହି ଦିନ ଅବସରରେ ଜାତିର ଉନ୍ନତି ପାଇଁ ଛାତ୍ର ସମାଜ, ଯୁବଗୋଷ୍ଠୀ ସଂକଳ୍ପ ନେବା ଉଚିତ । ଆଉ ଆମେ ଓଡିଆ ବୋଲି କହିବାକୁ ଯେପରି କୁଣ୍ଠାବୋଧ ନ କରୁ । ଗର୍ବର ସହ କହିବା ଏ ମାଟି ଓଡିଆ ଏ ଜାତି ଓଡିଆ ।
Powered by Froala Editor