ସରକାରଙ୍କୁ କଟାକ୍ଷ କରି ଏମିତି କହିଲେ ସୌମ୍ୟ
ଭୁବନେଶ୍ୱର: ଆଜି ବିଧାନସଭାର ପ୍ରଶ୍ନକାଳରେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ରାଜ୍ୟ ସରକାରଙ୍କୁ କଟାକ୍ଷ କରିଛନ୍ତି । ପାଣିକୁ ନେଇ ସେ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଶିଳ୍ପ ପାଇଁ ପାଣି ଦେବାକୁ ବ୍ୟାକୁଳ, କିନ୍ତୁ ପିଇବାକୁ ପାଣି ନାହିଁ ବୋଲି ସୌମ୍ୟ କହିଛନ୍ତି । ସରକାର ଜଳ ନୀତି ଆଣିଛନ୍ତି, ମାତ୍ର ସେ ଜଳ ନୀତିର ମାନେ କ’ଣ । ଜଳ ନୀତିର ଅର୍ଥ ପିଇବାକୁ ପାଣି, କୃଷି ପାଇଁ ପାଣି ଦେବା ଓ ତା’ ପରେ ପର୍ଯ୍ୟଟନ । ମାତ୍ର ଏବେ ଶିଳ୍ପ ପାଇଁ ପାଣି ଦେବାକୁ ବ୍ୟାକୁଳ, ମାତ୍ର ପିଇବା ପାଣି ପାଇଁ ନୁହେଁ । ଏବେ ନଦୀ ମାଫିଆ ଶୁଖି ଯାଉଥିବା ନଦୀକୁ ଅପହରଣ କରିନେଉଛନ୍ତି ବୋଲି ସୌମ୍ୟ କହିଛନ୍ତି ।
ଅପରପକ୍ଷେ ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ବିଜେଡିରେ ରହି ମଧ୍ୟ ସରକାରଙ୍କୁ ତେରଛା ବାଣ ମାରିଛନ୍ତି । କେବଳ ସରକାର ନୁହନ୍ତି ୫-ଟିକୁ ମଧ୍ୟ ତେରଛା ବାଣ ମାରିବାରେ ସୌମ୍ୟ ପଛଘୁଞ୍ଚା ଦେଇନାହାନ୍ତି । ଆଜି ବିଧାନସଭାର ପ୍ରଶ୍ନକାଳରେ ଉଭୟ ୫-ଟି ଓ ସରକାରଙ୍କୁ ଟାର୍ଗେଟ କରି ସୌମ୍ୟ ତେରଛା ବାଣ ମାରିଛନ୍ତି । ବିଭାଗରେ ୫-ଟି ପ୍ରବେଶ ଦ୍ୱାରା ଜାତିଭେଦ ସୃଷ୍ଟି ହେଉଥିବା ସୌମ୍ୟ କହିଛନ୍ତି ।
ସେ କହିଛନ୍ତି ଯେ, ୫-ଟି ପ୍ରବେଶ ଦ୍ୱାରା ବିଭାଗର ପାରମ୍ପରିକ କାର୍ଯ୍ୟଗୁଡ଼ିକର ପ୍ରାଧାନ୍ୟ କମୁଛି । ଏହା ଦ୍ୱାରା ପ୍ରଶାସନର ସ୍ୱଚ୍ଛତା ଓ ଦକ୍ଷତା ନେଇ ଆଗକୁ ପ୍ରଶ୍ନବାଚୀ ସୃଷ୍ଟି ହେବ । ଯେଉଁ ବିଭାଗରେ ୫-ଟି ପଶୁଛି, ସେ ବିଭାଗରେ ଜାତିଭେଦ ସୃଷ୍ଟି ହେଉଛି କି । ସବୁ କଥାରେ ‘ମୋ’ ଶବ୍ଦ ପ୍ରୟୋଗ ପ୍ରବଣତା ଟିକେ ଅଧିକ ହୋଇଯାଉଛି । ଯେଉଁଥିରେ ମୋ ଶବ୍ଦ ଲଗାଉଛୁ, ସେଥିରେ ଆମେ ନିଜକୁ ସମ୍ପୃକ୍ତ କରୁଛୁ । କିନ୍ତୁ ସେହି ଅନୁପାତରେ ସେଥିରେ ବିକାଶ କରୁଛୁ କି ନାହିଁ , ନିର୍ଦ୍ଧିଷ୍ଟ ଉତ୍ତର ନାହିଁ ବୋଲି ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି ।
Powered by Froala Editor